ନୀଳଚନ୍ଦନର ଭୁଲ ଠିକଣା

 

 

 

 

 

 

 

 

 

 

ନୀଳଚନ୍ଦନର ଭୁଲ ଠିକଣା

ନୀଳାଦ୍ରିଭୂଷଣ ହରିଚନ୍ଦନ

 

 

 

 

 

 

ମୋନା,

ନୀଳଚନ୍ଦନର ଭୁଲ୍ ଠିକଣାରେ ତୁମର

ସମ୍ୱୋଧନହୀନ ଚିଠିଟି କେବେ ପହଞ୍ଚିବ ?

ସେଇ ଅପେକ୍ଷାରେ........

 

ସୂଚିପତ୍ର

 

୧.

ନିର୍ଦ୍ଦେଶ ଲିପି

୨.

ନାଟକର ନାୟକ ନାହିଁ

୩.

ସେ ଖବରକାଗଜ ପଢ଼ନ୍ତି

୪.

ଆତ୍ମ ଚରିତ

୫.

ସୂର୍ଯ୍ୟ

୬.

ଶୁଭରାତ୍ରି

୭.

ପିଲାଟି

୮.

ଲୁଚକାଳି

୯.

ଛୁଟିଦିନ

୧୦.

ନାଟ୍ୟକାର

୧୧.

ପକ୍ଷାଘାତ

୧୨.

ନିର୍ଜନତା

୧୩.

ସ୍ମୃତିଚାରଣ

୧୪.

ତଥାପି

୧୫.

ଶଗଡ଼

୧୬.

ଦୁର୍ଦ୍ଧାନ୍ତ ଲୋକର ଘର

୧୭.

ଗଛଟିଏ, ଫୁଲଟିଏ

୧୮.

ଅଥଚ ବିରୋଧାଭାସ

୧୯.

ନୀଳ ପ୍ରସ୍ତର

୨୦.

ଋତୁଚିତ୍ର

୨୧.

ସବୁଜ ବନାନୀ

୨୨.

ଆଲ୍‍ପିନ୍

୨୩.

ବସନ୍ତର ସହରଠାରୁ ଦୂରେଇ

୨୪.

କଟକ

୨୫.

ଡାକଘର

୨୬.

ଛାଇର ସ୍ୱର

୨୭.

ସମୁଦ୍ର

୨୮.

ଗୋଟିଏ ସାକ୍ଷାତ ପରେ

୨୯.

ମୁହୂର୍ତ୍ତ ମୁହୂର୍ତ୍ତ

୩୦.

ଦିନସାରା

୩୧.

ରିହର୍ସାଲ

୩୨.

ଦ୍ରୌପଦୀଙ୍କ ଦେହାନ୍ତ ଖବର

୩୩.

ଭୟ

୩୪.

ବର୍ଷା

୩୫.

ବନ ଦହନ

୩୬.

ଭଦ୍ରକ

୩୭.

ତୀର୍ଥଯାତ୍ରା

୩୮.

ଡ୍ରାଇଭର

୩୯.

ସାଂସାରିକ

୪୦.

ନୂଆବର୍ଷର କବିତା

୪୧.

ଅବଶୋଷ

୪୨.

ବସ୍ ଚାଲିଚି

୪୩.

ନିର୍ଜନ ରାତିରେ

୪୪.

ଶୀତପାଇଁ

୪୫.

ଶ୍ୱେତପଦ୍ମାକୁ

୪୬.

ଆଶଙ୍କା

୪୭.

ସମାପ୍ତି

୪୮.

ଶୂନ୍ୟ କୋଠରୀ

୪୯.

ଆଶ୍ରୟ

୫୦.

ଜନ୍ମ ତାରିଖ

୫୧.

ରଙ୍ଗ ମୁହୂର୍ତ୍ତ

୫୨.

ଖରାବେଳ

୫୩.

କୃଷ୍ଣଚୂଡ଼ା

୫୪.

ବୟସ

୫୫.

ପ୍ରତିଶ୍ରୁତି

୫୬.

ଅନ୍ଧକାର

✽✽✽

 

 

 

 

 

 

ଏଇ ଲେଖକଙ୍କର

ଅନ୍ୟ ଦୁଇଟି କବିତା ବହି :

ପାହାଚ

ସମ୍ୱୋଧନହୀନ

 

ନାଟକର ନାୟକ ନାହିଁ

 

ମୂଳରୁ କହି ରଖିବା ନିରାପଦ

ନାଟକର ନାୟକ ନାହିଁ

ନାୟିକାବି ନାହିଁ,

କିଛି ପାତ୍ରପାତ୍ରୀ ମାତ୍ର ମଞ୍ଚକୁ ଆସିବେ ।

ଅଥବ ଘଟଣାଟିର ବିକାଶରେ

ଅସୁବିଧା ନାହିଁ ।

 

ସ୍ଥୂଳକାୟ ଚରିତ୍ରମାନେ କଷ୍ଟ ସତ୍ତ୍ୱେ

ପ୍ରଥମରୁ ଦୌଡ଼ୁଥିବେ

ନାଟକର ଯବନିକା ଯାଏଁ

ଅନ୍ୟାନ୍ୟ ଚରିତ୍ରମାନେ

କଇଁନାଡ଼ ଦଳ ମଧ୍ୟେ ମାଛ ପରି

ଘୂରି ବୁଲୁଥିବେ

ଉପରକୁ ଚାହିଁ ଚାହିଁ ନିଃଶ୍ୱାସ ମାରିବେ

ଏହାପରେ ଅନ୍ତର୍ହିତ ହେବେ ।

ନାୟିକାର ଅଭାବରେ

ସମସ୍ତ ଚରିତ୍ର

ଛାଇପରି ଦେଖାଯିବେ ଅଭିବ୍ୟକ୍ତି ହୀନ

ନାଟକର ମୂଳରୁ ଶେଷ ପର୍ଯ୍ୟନ୍ତ

ସଂଘର୍ଷର ପ୍ରଶ୍ନ ନାହିଁ

ଶାନ୍ତିର ରାଜତ୍ୱ ।

 

ଏହିପରି ଅଭିନୟ

ଅବ୍ୟାହତ ରହିଥିବ

ପ୍ରତିକ୍ରିୟା କିଛି ନାହିଁ ଦର୍ଶକଙ୍କ

ପୁନରାବୃତ୍ତିରେ ।

ଶେଷ ଦୃଶ୍ୟ ସବୁଠାରୁ ଚମତ୍କାର ।

କାଗଜର ଫୁଲମାଳ

ସମସ୍ତଙ୍କ କଣ୍ଠ ଦେଶେ ଶୋଭା ପାଉଥିବ

ସମସ୍ତ ଚରିତ୍ର ଆସି ଧାଡ଼ି ବାନ୍ଧି ଠିଆ ହେବେ

ଶବ୍ଦ କରି ହସୁଥିବେ

ପରସ୍ପରେ ଚାହିଁ ।

ନାଟକର ନାୟକ ନାହିଁ ।

ନାୟିକାବି ନାହିଁ ।

✽✽✽

 

ସେ ଖବରକାଗଜ ପଢ଼ନ୍ତି

 

ସେ ସବୁବେଳେ

ବସି ବସି

ଖବରକାଗଜ ପଢ଼ନ୍ତି

ଦେଶ ବିଦେଶର

ଖବର ରଖନ୍ତି

କି ଦିନ କି ରାତି,

ଶୋଇଲା ପରେବି

ସ୍ୱପ୍ନ ଦେଖି ଚିତ୍କାର କରନ୍ତି

ନିଆଁ ନିଆଁ

କେଡ଼େ ବଡ଼ ଧନୀ ଦେଶ

ଜଳି ଯାଉଛି ।

 

ବାକି ସମୟରେ

ବନ୍ଧୁମାନେ ଆସନ୍ତି ।

କପେ କପେ ଚା’ ଧରି

ଗପ କରନ୍ତି

ଛୋଟ ସହରଟିର ରାସ୍ତାଘାଟ

କୋଠାଘର ଚାଳଘର

ସବୁ କିଛି

ମୁହଁ ଦେଖାନ୍ତି ଚା’ କପ୍‌ରେ ।

 

ସେଦିନ

ଖବରକାଗଜ ବନ୍ଦ,

ବନ୍ଧୁମାନେ ମଫସଲ ଗସ୍ତରେ

ଟ୍ରେନ୍‌ ଲାଇନ୍ ଫେରି ଯାଉଛି

ଭୟ ଭୟ କରି ଦ୍ରୁତଗତିରେ

ବଗିଚା ଭିତରେ

ଆମ୍ୱଗଛଗୁଡ଼ିକ

ବନ୍ଧ୍ୟା ସ୍ତ୍ରୀଲୋକ ପରି

ବିନା ଦୋଷରେ କାକୁସ୍ଥ

ଉପରେ ଆକାଶ ଓଲଟି ପଡ଼ୁଛି ଯେମିତି

ବିରାଟ ଏକ ପାଉଁଶର ଗଦା ।

 

ଅଥଚ

ଖବରକାଗଜ ଶୋଇଥିବ

ଛାପାଖାନା ଭିତରେ

ବନ୍ଧୁମାନେ ନିଶ୍ଚିନ୍ତରେ

ତାସ୍ ଖେଳୁଥିବେ,

କୌଣସି ଦେଶରେ

ନିଆଁ ଜଳୁ ନଥିବ

ଛୋଟ ସହରର କୌଣସି କୋଠା

ଭାଙ୍ଗି ପଡ଼ୁ ନଥିବ ।

✽✽✽

 

ଆତ୍ମ ଚରିତ

 

ଦୁଃଖ କହିବି ନା ସୁଖ କହିବି

ନା ଅଙ୍ଗେ ନିଭେଇବା କଥା କହିବି ?

ମିଛ କହିଲେ ପ୍ରଜାଙ୍କ ହାତେ

ସତ କହିଲେ ରଜାଙ୍କ ହାତେ

ପ୍ରାଣଟି ଯିବା ସାର ହେବ

କିଏ ରଖିବ ?

 

ଆଉ ତ ମୋର ମନେ ପଡ଼ୁନାଇଁ

କିଛିହେଲେ କାହିଁ

କଟୁଆଳ କେବେ ଘୋଡ଼ା ଝପଟାଇ

ଆସିଥିଲା ଧାଇଁ ମୋ ଦୁଆରେ

ଟିପିନେଲା ତା’ର ଡାଏରି ଖାତାରେ

ଭୁଲ୍ କେତେ ମୋର ଠିକ୍ କେତେ ।

 

ବୁଢ଼ୀ ଅସୁରୁଣୀ ପାଖେପାଖେ ରହି

ଧମକାଉଥାଏ ଘଡ଼ିକି ଘଡ଼ି

ଭୟରେ ଭୟରେ ପାଟି ଖନିମାରେ

ହଂସା କି ସତେ ଯାଉଚି ଉଡ଼ି

କହିବାର କଥା କେମିତି କହିବି

ପଦଟିଏ ଯାହା ଯାଉଚି ଛାଡ଼ି

ମୋ କଥାଟି ସରିଲା

ଫୁଲ ଗଛଟି ମରିଲା ।।

✽✽✽

 

ସୂର୍ଯ୍ୟ

 

ସକାଳେ ସନ୍ଧ୍ୟାରେ କିମ୍ୱା ଦ୍ୱିପ୍ରହରବେଳେ

ନଦୀ, ବଣ, ପାହାଡ଼ରେ କିମ୍ୱା କେଉଁ ନିର୍ଜନ ପ୍ରାନ୍ତରେ

ଶୂନ୍ୟ ଆକାଶକୁ ଚାହିଁ କେତେ ଜଣ

ମହାମହିମ ସୂର୍ଯ୍ୟଙ୍କ ସ୍ତୁତି କରୁଥାନ୍ତି ?

 

ଦିନସାରା ଲୋକଙ୍କର ହୋ ହୋ, ପାଟିତୁଣ୍ଡ, ଦଉଡ଼ ଧାପଡ଼

ବୟସ୍କଙ୍କୁ ଶିଶୁ କରେ,

ହସିବା, କାନ୍ଦିବା ଆଉ ଅଳିକରି ଭୂଇଁରେ ଲୋଟିବା;

ତଳେ ଲୋକ ଗହଳିକୁ ଚାହିଁ ଚାହିଁ

ସୂର୍ଯ୍ୟ ଚାଲିଯାନ୍ତି

ଆକାଶର ରାସ୍ତାହୁଏ ନିଛାଟିଆ ଦୀର୍ଘ ନିଃଶ୍ୱାସରେ ।

 

ଅକୃତଜ୍ଞ ଲୋକମାନେ ବାଟ ଭାଙ୍ଗି ଚାଲୁଥାନ୍ତି;

କୃତଜ୍ଞତା ଜଣାଇବା ନମସ୍କାର କରି

ନିଜକୁ ଛୋଟ କରିବା ସମସ୍ତଙ୍କ ଆଗେ

କାରଣ ବା କାହିଁ ତା’ର ?

ଜଙ୍ଗଲର ରାସ୍ତାପରି କାରଣର ଶେଷନାହିଁ

ଆରମ୍ଭବି ନାହିଁ ।

 

ଦୂରେ ଥାଇ ଭୟେ ଭୟେ ହାତ ଯୋଡ଼ୁଥିବା ଲୋକେ

କିମ୍ୱା ଦିନସାରା ଦୌଡ଼ୁଥିବା ବ୍ୟସ୍ତ ଲୋକମାନେ

କିଏ ପଦେ ପଚାରିଲା–

କେମିତି ଅଛନ୍ତି ପ୍ରଭୁ ? ଦଣ୍ଡେ ଠିଆ ହୋଇ

ଦେବତାଙ୍କ ଅକୁଶଳ କ’ଣ ଥାଇପାରେ ?

 

ହସଖୁସି କରିବାକୁ ଲୋକ ନାଇଁ,

ଏପରିକି ଜଣେ ହେଲେ ବୟସ୍ୟ କି ଚାଟୁକାର ନାଇଁ,

ଗୀତ ପଦେ ଗାଉଥିଲେ

କେହି କେବେ ଆସନ୍ତିନି ଶୁଣିବାକୁ,

ସମ୍ଭ୍ରମରେ ଅଥବା ଭୟରେ

ଏଇପରି ଏଣେତେଣେ ଚାହିଁ ଚାହିଁ କଟେଁ ସାରା ଦିନ

ସୂର୍ଯ୍ୟଙ୍କର ପାଗଳାମି କ୍ରମେ କ୍ରମେ ବଢ଼ିଯାଏ

କ୍ରୁଦ୍ଧ ମୁଖ ଦେଖାଯାଏ ଏକାନ୍ତ କରୁଣ ।।

✽✽✽

 

ଶୁଭରାତ୍ରି

 

ମୋର ଯେତେ ଅର୍ଥହୀନ ଗୀତ ଶୁଣିବାକୁ

ପୁରୁଣା ଆକାଶ କେତେ ଆଗ୍ରହରେ ଠିଆ ହୁଏ

ଝର୍କା ଆଉପଟେ

ମୋ ଭାଷା ସେ କ’ଣ ବୁଝେ

ମୋ ମୁହଁରୁ କ’ଣ ପଢ଼େ ଖାଲି ହସୁଥାଏ,

ଏମିତି ଅନେକଥର ମନେ ହୁଏ ଏ ଆକାଶ

କେତେ ଅନ୍ତରଙ୍ଗ

ମୁଁ ତ ଛୋଟ ମଣିଷଟେ

ଅଥଚ ଟିକିଏ ହେଲେ ଭୟ ନାଇଁ ମୋର

ତା’ ଦେହର ମାନଚିତ୍ର ପଢ଼ୁ ପଢ଼ୁ

ହୁଏତ ମୁଁ କେଉଁଠାରେ ହଜିଯାଇପାରେ,

 

ପିଲାଦିନ ପ୍ରାର୍ଥନାର ପ୍ରଥମ ଧାଡ଼ିଟି ମୋର ମନେପଡ଼େ

ଉଚ୍ଚସ୍ୱରେ ଗାଇବାକୁ ପ୍ରବଳ ସଙ୍କୋଚ

କାରଣ ମୁଁ ଅର୍ଥ ସବୁ ବୁଝିଲିଣି

ଆଉ କ’ଣ ପ୍ରତାରଣା କରିହେବ ଆକାଶକୁ ?

ତା’ ଆଡ଼କୁ ସତର୍କରେ ଚାହିଁ ଚାହିଁ

ସମୟ କଟୁଚି ମୋର ଅପେକ୍ଷାରେ, ଖାଲି ଅପେକ୍ଷାରେ ।

 

କାନ୍ଥ ଘଡ଼ି ପରିହାସ କରୁଅଛି

ମୋ ଛାତି ଭିତର ଶବ୍ଦ ଅନୁକରଣରେ

ନିଦ କ’ଣ ଆସିବନି, ଏ ତେବେ କାହାର

ଜୋତା ଶବ୍ଦ ଶୁଭୁଅଛି ଡାକବାଲା ଜୋତା ଶବ୍ଦ ପରି

ସେ କେଉଁଠି ଗଳି ମୁଣ୍ଡେ ବତିଖୁଣ୍ଟ ପାଖେ

ଆଜି କ’ଣ ମୋର ଚିଠି ନାଇଁ

ବୋଧହୁଏ ସେଇଠାରୁ ସିଏ ଫେରିଗଲା

 

ରାତିର ତରଙ୍ଗ ହଜେ ଗୋଟିଏ ପରେ ଗୋଟିଏ

ଗଣିବାର ବ୍ୟର୍ଥ ଚେଷ୍ଟା, ଦଦରା ଡଙ୍ଗାଟି ଭାସେ

ସମୁଦ୍ରରେ, କୂଳ ହୁଏ କ୍ରମଶଃ ନିରୋଳା ।

ମଣିଷର ଇଚ୍ଛା କେତେ ଭୟଙ୍କର ସମୟର ମୁହଁପରି

ନିଃଶେଷ କରିବା ଲାଗି ଅନ୍ୟର ସତ୍ତାକୁ

ମୁଁ ଯଦିଚ ପଶୁଟିଏ ହୋଇଥାନ୍ତି

ନିଜକୁ ଅପମାନିତ କରନ୍ତିନି, ଅବିଶ୍ୱାସ କେବେ

 

ସକଳ ଯନ୍ତ୍ରଣା ମୋର ସମ୍ୱୋଧନହୀନ ଚିଠିପରି

ନିତାନ୍ତ ରୋମାଞ୍ଚକର ହୋଇଯାନ୍ତା

ପଥରବନ୍ଧ ତଳକୁ ନଈର ଡେଇଁବାବେଳ–

ପ୍ରବଳ ଆଗ୍ରହ ଆଉ କୌତୂହଳ ନେଇ

ଆସି ମୋର ପାଖେ ପହଞ୍ଚନ୍ତା,

ସେ କିଏ ସେ ମୋର ଚିର ପ୍ରତୀକ୍ଷିତା

ମୋ ଛାତିରେ ମାଆ ପରି ହାତ ଥାପୁଡ଼ାଇ

କହୁଥାନ୍ତା, ‘ଦୁଷ୍ଟପିଲା !

ଚୁପ୍‍ଚାପ୍ ନ ଶୋଇଲେ ଯିବି ମୁଁ ପଳାଇ ।’

 

ପାହାଡ଼ର ଶେଷ ସୂର୍ଯ୍ୟାଲୋକ ହଜିଯିବ ଯେତେବେଳେ

ଗଛଲତା ଚାହୁଁଥିବେ ଆଶ୍ଚର୍ଯ୍ୟ ଭଙ୍ଗୀରେ

ଅନ୍ଧାରରେ ଲୁଚିଛପି ଚାଲୁଥିବି ନିର୍ଜନ ରାସ୍ତାରେ

ଦେଖାଯିବ ରେଳଗାଡ଼ି ଯାଉଅଛି

ଅନ୍ଧାରକୁ ଠାଏଠାଏ ଆଲୁଅ ଫୋପାଡ଼ି

ଅକସ୍ମାତ୍ ମୁଁ ଦେଖିବି ନିର୍ଜନରେ ତୁମେ ଠିଆ ହୋଇ

ବଢ଼ାଇଛ ଦୁଇବାହୁ ଦିଗ୍‌ବଳୟ ପରି

 

ମୁଁ ଅଚିହ୍ନା ଲୋକଟିଏ

ବୋକାଳିଆ ଆଖି ତୋଳି ଚାହୁଁଅଛି

କି ସୁନ୍ଦର କାରୁକାର୍ଯ୍ୟ ଭରା ତୁମ

ସମୁଜ୍ଜ୍ୱଳ ଆଖିର ନଗରୀ ।

ଏତେବେଳେ ନିଦ ମୋର ଆସିଯିବ

 

ସମତଳେ ବନ୍ୟା ସ୍ରୋତ ପରି

ବିଦାୟ ମୁଁ ମାଗିନେବି ଘଡ଼ିଠାରୁ କ୍ୟାଲେଣ୍ଡରଠାରୁ

ପୁରୁଣା ପ୍ରାର୍ଥନା ଗୀତ ଇଚ୍ଛା ହେବ

ଗାଇବାକୁ ପୁଣି ହାତଯୋଡ଼ି,

 

କାନ୍ଥର ଅସ୍ପଷ୍ଟ ଛାଇ !

ମୁଁ ମୋର ସାମ୍ରାଜ୍ୟ ଏବେ ପାଇଅଛି

ମାଗୁଛି ବିଦାୟ

ନିର୍ବାସନ ଶେଷ ହେଲା

ଶୁଭରାତ୍ରି ! ଝର୍କାର ଆଲୁଅ

✽✽✽

 

ପିଲାଟି

 

ଏଇ ପିଲାଟିର ମୁହଁକୁ ଟିକିଏ ଚାହିଁଲ ?

ଭାବିପାରୁଚ ଇଏ କ୍ରୋଧ କରିପାରେ ବୋଲି ?

ତମେ କେବେ ତା’ର ପର୍ଶୁରାମ ମୂର୍ତ୍ତି ଦେଖିଚ ?

କ୍ରୋଧରେ ଥରୁଥାଏ ଯେତେବେଳେ ତା’ର ସାରା ଶରୀର ।

ଥରେ ରାଗିଲେ ତାକୁ ଆଉ

ସମ୍ଭାଳେ କିଏ ?

 

ପାହାଡ଼କୁ ଠେଙ୍ଗାରେ ପିଟି ?

ଖଣ୍ଡଖଣ୍ଡ କରି ଫୋପାଡ଼ି ଦେବାକୁ ଚାହେଁ ।

ବରଗଛର ମୋଟା ମୋଟା ଡାଳକୁ

ଭାଙ୍ଗିଦେବାକୁ ଦୁଇହାତ ବଢ଼ାଏ ।

ବହୁ ପାଦଚିହ୍ନ ପଡ଼ି ତିଆରି ହୋଇଥିବା ରାସ୍ତାକୁ

ଲିଭାଇ ଦେବାକୁ ଚେଷ୍ଟା କରେ ।

ବିରାଟ ଖୋଲା ପଡ଼ିଆକୁ ହାଣିମାରି

ଅସମାନ କରିଦେବାକୁ ଭାବେ ।

 

ଆଉଥରେ ତା’ ମୁହଁକୁ ଚାହଁତ

କରେଣ୍ଟ୍ ବନ୍ଦ ହୋଇ ଯାଉଥିବା ବିଜୁଳିପଙ୍ଖା ଭଳି

ବିବର୍ଣ୍ଣ ହୋଇ ଯାଉଚି ତା’ର ମୁହଁ

କେଡ଼େ ଅସହାୟ

କେଡ଼େ ଦୟନୀୟ

ମନେ ହେଉଚି ସତେ ପିଲାଟି

ତା’ର ରାଗିବା ମୁହୂର୍ତ୍ତରେ !

✽✽✽

 

ଲୁଚକାଳି

 

ଏତେ ବଡ଼ ପାହାଡ଼ ଭିତରେ

କେଉଁଠି ଲୁଚିଗଲ ଯେ

ଖୋଜି ଖୋଜି ମୁଁ ନୟାନ୍ତ

ପଥର ବାଜି ପାଦର ଆଙ୍ଗୁଠି ଜଖମ

 

କଣ୍ଟାରେ ଚିରିଗଲାଣି ଦେହସାରା

ମୁଣ୍ଡ ଉପରେ ସୂର୍ଯ୍ୟ ଜଳୁଛି

ପାହାଡ଼ ମୋର ଦେହର ଭାର ବୋହିବାକୁ

ଅସମର୍ଥ,

 

କଡ଼ ଲେଉଟାଇଲେ ଯେ

ମୋର ଆଉ ରକ୍ଷା ନାହିଁ,

ପିଲାଟିଏ ପୁସି–ବିଲେଇ ଲାଙ୍ଗୁଡ଼ ଟାଣି

 

ଖେଳୁଛି

ପାହାଡ଼ ତଳେ ସେ ବି ମୋ ପରି

ଚାପି ହୋଇଯିବ ।

✽✽✽

 

ଛୁଟିଦିନ

 

ସୂର୍ଯ୍ୟ ଆଉ ଜଳୁନାହିଁ ସେମିତି ଦୁଃଖରେ

ଚିଲମାନେ ଆକାଶରେ ସ୍ଥିର ଓ ନିଶ୍ଚଳ

ରେଳଗାଡ଼ି ଶବ୍ଦ ଆଉ ଶୁଣାଯାଉ ନାହିଁ

ଲୋକମାନେ ଅପେକ୍ଷାରେ

ସାମନାରେ ଦିଶେ ଭଙ୍ଗା ପୋଲ ।

 

ପୃଥିବୀର କେତେ ଅଂଶ ଦେଖାଯାଏ

ଦୁଇଟି ଆଖିରେ

କେଉଁମାନେ ଥକି ଗଲେ

କେତେ ପାଦ ଚାଲି କେଉଁଠାରେ

ଚାଲିବାଠାରୁ ଆନନ୍ଦ କିଛି ନାହିଁ

କିଏ ସେ ହିସାବ ରଖେ

ବନ୍ଦୀମାନଙ୍କର ସଂଖ୍ୟା କେତେ ହୋଇପାରେ ?

 

ଏମିତିକା ଖୁବ୍ ଭଲ

ଅଧୀନସ୍ଥ ହୋଇଗଲେ

ଅନ୍ୟକା’ର ସ୍ନେହ ମମତାରେ

ହୁଏତ ମୋତେ ଏଠାରେ ଘୃଣା କରିପାର

ମୋ ଘରର ନୀରବତା କ୍ଷୁଣ୍ଣ ହେବା ଦେଖି

ତୁମେ କାଳେ ବେଶିକ୍ଷଣ ରହିବାକୁ ପସନ୍ଦ ନ କର

 

ଯେତେବେଳେ ତମେ ଆସ

ଭୟେ ଭୟେ ଘୁଞ୍ଚିଯାଏ ଏଠାରୁ ସମୟ

ବସି ବସି ଗଳ୍ପ କର

ଛୁଟୁଥାଏ ହସର ଫୁଆରା ।

ଜୀବନରୁ ପଳାୟନ କେଡ଼େ ସହଜରେ

ଚା’ କପେ ଦେଇ ପାରିନାହିଁ ବୋଲି

ମନଦୁଃଖ କେବେ କରିନାହିଁ

ଚଉକିର ଧୂଳି ସବୁ ଲାଗିଯାଏ ତମ ଜାମାସାରା ।

 

କେବେ ତମେ ଚାଲିଯାଅ,

ଦୁଃଖ ଯେତେ ସେହି ମୁହୂର୍ତ୍ତରେ

ଭଙ୍ଗା ପୋଲ ଯୋଡ଼ି ହୁଏ

ଗାଡ଼ିଘୋଡ଼ା ପୁଣି ଚାଲୁଥାଏ

କି ଏକ ବିଚିତ୍ର ନିଶା

ତଥାପିତ ଏଇମିତି ଅପେକ୍ଷାରେ ରହେ

ନୂଆ ରେଳ ଟାଇମ୍ ଟେବୁଲ୍ ପୁଣି ଛପା ହୋଇଯାଏ ।

 

ସବୁଦିନ ସୂର୍ଯ୍ୟକୁ ନମସ୍କାର କରୁଥିବି

ପୁରୁଣା କର୍ମ ଯୋଜନା ନୂଆ ହୋଇ ପୁଣି ଠିଆ ହେବ

ସବୁଜ ପତ୍ରରେ ନିଆଁ ସେଇମିତି ଜଳୁଥିବ

ଷୋହଳ ପ୍ରହର

କ’ଣ ମୋତେ ମିଳିଯାଏ

ମୁଁ ଜାଣିନି କ’ଣ ସେ ମିଳିବା

ସବୁ କିଛି ହରାଇବା ଭିତରେ ମୋହର ।।

✽✽✽

 

ନାଟ୍ୟକାର

 

ପ୍ରଥମରୁ ଘୋଷଣା କର ନାଟ୍ୟକାରଙ୍କ ନାମ

କାରଣ ଅଭିନୟ ଆଗେଇ ଗଲେ

ସମସ୍ତେ ଖୋଜିବେ ହିରୋଙ୍କର ପରିଚୟ

ଅଭିନୟ ଯାର ଚମତ୍କାର ।

 

ତପସ୍ୟାରେ ବସିଛନ୍ତି ନାଟ୍ୟକାର

ତପସ୍ୟା ଭାଙ୍ଗିଗଲେ ସେ ଦେଖିବେ

ସବୁ ପୁରୁଣା କୋଠା ଭାଙ୍ଗିରୁଜି

ଗଦା ହୋଇ ଯାଇଚି ତାଙ୍କ ଉପରେ

ନୂତନ ସହର ଲାଗି ବିରାଟ ପ୍ରସ୍ତୁତି ।

 

ବାରମ୍ୱାର ପରାଜିତ ହୋଇ

ଆହତ ହେବା ସତ୍ତ୍ୱେ ହିରୋ

ଶେଷ ଦୃଶ୍ୟରେ ଜିଣିବେହିଁ ଜିଣିବେ

 

ଦର୍ଶକମାନେ ଆନନ୍ଦରେ ତାଳିମାରି

ଚିତ୍କାର କରିବେ

କିନ୍ତୁ ପରାଜିତ ନାଟ୍ୟକାର

ଦ୍ୱାର ବନ୍ଦ କରି ଭାବୁଥିବେ ଆଶଙ୍କାରେ

‘ମୋତେ କେହି ଦେଖୁନାହାନ୍ତି ତ !

✽✽✽

 

ପକ୍ଷାଘାତ

 

ହସି ଉଠୁଥିବା କଅଁଳ ଛନଛନ

ସବୁଜ ଘାସ

ଦୁଷ୍ଟାମି ଶିଖିବା ପୂର୍ବରୁ

ଟ୍ରକ୍ ଚାପାରେ ବିକଳାଙ୍ଗ

ଅପେକ୍ଷା କରି କରି

ଗଣି ହୋଇଗଲା ଭୂଇଁର ଶିରାପ୍ରଶିରା

ଅଥଚ ବର୍ଷା ବଦଳରେ ଝିଙ୍କାରି ଡାକ ।

ଆଉଥରେ

ନୂଆ ଆଗ୍ରହ ନେଇ

ଗୁଡ଼ି ଉଡ଼ାଇବାକୁ ଚେଷ୍ଟା କଲାବେଳକୁ

ପବନର ହାତଗୋଡ଼ ଅଚଳ

ନିଭିଗଲା

ପାଉଁଶ ଗଦାର ଶେଷ ନିଆଁ ଝୁଲ;

ଖୋଲିଥିବା ସୂତା ସବୁ ଗୁଡ଼େଇ ହୋଇଗଲା

ନଟେଇଟି ଦେଖାଗଲା ଯେମିତି

ଶବ ଉପରେ ଢଙ୍କା ଯାଇଥିବା

ନୀରବ ଧଳା ଚାଦରଟିଏ ।

✽✽✽

 

ନିର୍ଜନତା

 

ପୁରାତନ ତାଳପତ୍ରପୋଥି ପରି

ନିର୍ଜନତା ମୋ ଆଗରେ ଗଦାଗଦା ଫିଟି ପଡ଼ିଅଛି

କେତେ ଆଉ ଖୋଜୁଥିବି ? ଖୋଜିବାର ଶେଷ ନାହିଁ;

ଆକାଶରେ ପାଦଶବ୍ଦ ଶୁଣୁ ଶୁଣୁ

କେତେବେଳେ କ୍ଳାନ୍ତ ଦେହେ ଘୁମାଇ ପଡ଼ିଛି ।

ମଶା ଗୁଣୁଗୁଣୁ କରେ, ଅପେକ୍ଷାରେ

ଆକ୍ରମଣ କରିବାର ସୁବର୍ଣ୍ଣ ସୁଯୋଗ,

କାନ୍ଥରୁ ଖସିପଡ଼ିଲା ଝିଟିପିଟି

ଚମକି ପଡ଼ିବାମାତ୍ରେ ନିଦ ଭାଙ୍ଗିଗଲା

କେଉଁ ପାଦେ ପଡ଼ିଲାକି, ବାମେ ନା ଦକ୍ଷିଣେ ?

ଦିନସାରା କଟିଅଛି ଘୂରି ଘୂରି ଅକାରଣେ ଖାଲି ଏଣେତେଣେ

ସ୍ୱପ୍ନ ସବୁ ପୂରାମିଛ, ଦୂରର ଆଲୁଅ ପରି ନିଭିଯାଏ,

କିଏ ସେ ନଜାଣେ ?

ନିର୍ଜତନା, କେଉଁଠାରେ ତୋ ବେଶ ମୋହନ

ବିଶ୍ୱାସ ହୁଏନି କରି

ତୁ କି କେବେ ମୋହିଥିଲୁ ମୁନିର ନୟନ,

ତୁ ତ ନିଜେ ଅନ୍ଧହୋଇ ଯାଇଅଛୁ ଅକସ୍ମାତ୍

ହସୁ ହସୁ ଦିନେ

ବଉଳର ମଧୁ ସଙ୍ଗେ ଝରିଅଛି ରଙ୍ଗ ଓ ସୁରଭି

ଏକାନ୍ତ ଗୋପନେ ।।

 

ତଥାପି ପଡ଼ୁଛି ମନେ

ମୋତେ ଦିନେ ଏକାଏକା ନଈକୂଳେ ଦେଖି

ମନଇଚ୍ଛା ଗେଲ କଲୁ, ଦୁଇ ହାତେ କୁଣ୍ଢାଇ ଧରିଲୁ

ହାତରେ ବଇଁଶୀ ଦେଲୁ

ମଥାରେ ମୟୂର ଚୂଳ, ଆଖିରେ ଚାହାଣି

କହିଥିଲୁ,

ତୋଠାରୁ ସୁନ୍ଦର ଆଉ କିଏ ଅଛି ଗୋପପୁରେ

ମୋ କଥା ବିଶ୍ୱାସ କରି

ଏହିଠାରେ ଅପେକ୍ଷାରେ ଥାଅ ନୀଳମଣି ।।

 

ପ୍ରକୃତରେ ତୋର କ’ଣ ଇଚ୍ଛାଥିଲା ବୁଡ଼ାଇ ମାରିବା ଲାଗି,

ନା, ନା କେମିତି କହିବି ତୋର ସବୁ ଦୁଷ୍ଟବୁଦ୍ଧି,

ଆଖିପାଣି ଆଖିରେ ମରିଲା ମୋର

ଉଦାସୀନ ସୂର୍ଯ୍ୟ ଆଉ ତାରା

ସ୍ଥିର ହେଲେ ଧୀରେ ଧୀରେ;

କ’ଣ ଅବା ତୋତେ ଅଗୋଚର ।

 

ଆଜି ଖାଲି ଚାରିଆଡ଼େ ଖାଁ ଖାଁ

ଖରାରେ ଶୁଖିଗଲାଣି ଘାସ ପତ୍ର

ନିଛାଟିଆ ଝିଙ୍କାରିର ଝିଁଝିଁ ଶବ୍ଦଛଡ଼ା କିଛି ଶୁଭେ ନାହିଁ

ପାହାଡ଼ ଭୁଷୁଡ଼ି ପଡ଼େ

ଏକମାତ୍ର ଆଶ୍ରା ମୋର କୁଡ଼ିଆଟି ଜଳିଯାଏ

ମୋ ଆଖି ସାମ୍ନାରେ !

 

କେଉଁଠୁଁ ଆସିଲା ନିଆଁ ହୁତାଶନ

ଅଣଚାଶ ପବନ ସାଥିରେ

ହାତଗୋଡ଼ ଚଳେ ନାଇଁ, ଆଖି ଭର୍ତ୍ତି ଲୁହ

ଠିଆହୋଇ ଦେଖୁଥାଏ, କେଡ଼େ ଅସହାୟ ।।

 

ଦିନ ସବୁ ଭାରବାହୀ ପଶୁପରି କେଉଁଆଡ଼େ ଚାଲିଯାନ୍ତି

ଗୋଟି ଗୋଟି ହୋଇ

ଅଶୁଭ ଶକୁନମାନ ଅବଶେଷ ରହିଯାଏ ଆକାଶ ସୀମାରେ

ଭୟଙ୍କର କଳାରାତି ସବୁ ରାସ୍ତା ଶୋଷିନିଏ

ଦୁଇହାତ ଖୋଲି

ଉଠିବାର ଶକ୍ତିନାହିଁ ଆଉ ମୋର

ହାତଗୋଡ଼ ଭାଙ୍ଗିଅଛି ଏଠି ଝୁଣ୍ଟିପଡ଼ି ।।

✽✽✽

 

ସ୍ମୃତି ଚାରଣ

 

ଭୂଇଁ ଉପରକୁ ନଇଁ ଆସୁଥିବା ଡାଳ

ହଠାତ୍ ଉପରକୁ ଉଠି

ଲାଗିଗଲା ଆକାଶରେ ।

ଲଣ୍ଡା ଗଛରେ ପତ୍ର କଅଁଳିଲା

କ୍ରମେ ଅଦୃଶ୍ୟ ହେଉଥିବା ଗଛ ଦୃଶ୍ୟ ହେଲା ।

 

କାହିଁ ସୂର୍ଯ୍ୟର ତ ଆଉ ଦୁଃଖ ନାହିଁ

ଯେଉଁ ଦୁଃଖ ଫୁଟି ଉଠୁଥିଲା

ତା’ର କ୍ରୋଧଭରା ମୁହଁରେ,

 

ବାରମ୍ୱାର

ଶିଶିର ଭିଜା ସକାଳର ହସହସ ମୁହଁ

ମେଘ ଫାଙ୍କରୁ, ପତ୍ର ଫାଙ୍କରୁ

 

ଶେଷହେଲା

ଧୁଧୁ ପଡ଼ିଆକୁ ଚାହିଁବା

ଅପେକ୍ଷାରେ ଘଣ୍ଟାଘଣ୍ଟା ଠିଆହେବା ।

✽✽✽

 

ତଥାପି

 

କିପରି ଓ କେଉଁଠାରୁ ଦୁଃଖ ଆସେ ଛପିଛପି

ମୋ କୋଠରୀ ସାମନାରେ ଭିତରକୁ ରାସ୍ତା ନାହିଁ

ଲେଖାଥିଲାବେଳେ

ଅନ୍ଧାରର ଆଶ୍ୱାସନା କେତେ ସମୟ ବା ସ୍ଥିର

ନୀରବତା ଅକସ୍ମାତ୍ ନିଆଁ ହୋଇ ଜଳେ ।

 

ଶୂନ୍ୟରେ ପାହାଡ଼ ଅଛି; ବିଶ୍ୱାସ କରିବ କିଏ ?

ତଥାପି ତ ମ୍ରିୟମାଣ ଚେହେରା କାହାର

ଦିଶିଯାଏ ଝାପସା ହୋଇ ପାହାଚର ଶେଷ ଧାପେ

ଅନ୍ୟ ଦିଗେ ଆଖି ମୋର ସ୍ଥିର ଥିବାବେଳେ ।

 

ଏଇକ୍ଷଣି ଭାବୁଥିବ ଦୁଃଖିନୀ ମାଆଟି ପରି

ମୋ ପ୍ରିୟ ସହର

‘କେଉଁଠାରେ ଧନ ମୋର, ଚାନ୍ଦ ମୁହଁ ଶୁଖି ଯାଇଥିବ’

ମାଳି ଧରି ଜପୁଥିବ କୃଷ୍ଣ ନାମ

ଭିଜୁଥିବ ଗୋଟି ଗୋଟି ମାଳି ସବୁ

ଲୁହରେ ତାହାର ।

 

ଇଚ୍ଛା ହୁଏ ବାରମ୍ୱାର ଫେରିବାକୁ

ଅନେକ ବାରଣ ସତ୍ତ୍ୱେ

ନିର୍ବୋଧ ଚଟିଆ ଭଳି ଥଣ୍ଟେ ଧରି ଘାସକୁଟା

ପୁଣି ଥରେ, ଭାଙ୍ଗିବ ଜାଣିବା ସତ୍ତ୍ୱେ

ନୀଡ଼ ରଚିବାକୁ ।

 

ଚଟିଆର ନିର୍ବୋଧତା ଖୁବ୍ ବେଶୀ

ଦର୍ପଣରେ ଥଣ୍ଟ ମାରି ହୁଏ ନାହିଁ କଦାପି ନିରାଶ

ଛବି ତା’ର ଲୁଚି ରହେ ଦର୍ପଣ ପଛପଟରେ

କଳା ଓ ଆୟତ ଆଖି, ଚାହାଣିର

କାହିଁ ଅବଶେଷ ?

 

ଅନ୍ଧାରରେ କଣ୍ଟାଝଣ୍ଟା, କିଛି ମୁଁ ମାନିବି ନାହିଁ

ଗୋରୁଙ୍କର ହମ୍ୱାରଡ଼ି ଶୁଣି ଶୁଣି ଆସୁଥିବି ଫେରି

ମାଆ କୋଳେ ଶୋଇ ରହି କେବଳ ମୁଁ ଦେଖୁଥିବି

ଦର୍ପଣର କଳା କଳା ଦୁଇ ଆଖି

ମୋ ସକାଶେ ଆଗ୍ରହରେ ଯାଇଅଛି ଭରି ।।

✽✽✽

 

ଶଗଡ଼

 

ଶଗଡ଼ ମାନେନି କେବେ ଖାଲଢ଼ିପ କଣ୍ଟା ଓ ଅରମା

ପ୍ରତାପରେ ତା’ର ଥରହର ନାଲିଆ ରାସ୍ତାରେ

ବିଛାହୋଇ ପଡ଼ିଥିବା ଗୋଡ଼ି ଓ ପଥର

କ’ଣ ତା’ର ଯାଏଁ ଆସେ ସେମାନଙ୍କ କ୍ଷୟକ୍ଷତି

କିମ୍ୱା କାନ୍ଦଣାରୁ

ଲଙ୍ଘିପାରେ ପାଣିଟାଲ, ଦଣ୍ଡାର ସମୁଦ୍ର ସିଏ

ଦେଖେ ନାହିଁ ବେପରୁଆ ଖେଳୁଆଡ଼ ପରି

କାହା ଦେହେ ଚିତ୍ରହେଲା କାଦୁଅ ଛିଟିକି

କିମ୍ୱା ନିଜେ କାଦୁଅରେ ହେଲା ଜୁଡ଼ୁବୁଡ଼ୁ ।

 

ଆମର ବା ଚିନ୍ତା କ’ଣ

ଆମେ ତ ବସିଛୁ ଯାକିଯୁକି ହୋଇ ଶଗଡ଼ରେ

କେଡ଼େ ମଜା, ଶଗଡ଼ରେ ଦେହ ଦୋଳି ଖେଳେ

ମନେ ହୁଏ ବେଳେବେଳେ ତଥାପି କାହିଁକି

ଶଗଡ଼ଟା ପଛକୁ ଚାଲୁଛି ଅବା ଧୀରେ ଧୀରେ

ଥରି ଥରି ଆଖି ବୁଜି ଦେଇ

କି ଭୁଲ ଧାରଣା ସତେ

ଏହା କି ସମ୍ଭବ କେବେ ପଛକୁ ଫେରିବା

ସବୁଠାରୁ ବଡ଼ବଡ଼ ଚକ ଥାଉଁଥାଉଁ,

ବରଂ ସେ ଆଗେଇପାରେ ଦ୍ରୁତତରଭାବେ

ପହଞ୍ଚାଇ ଦେବ ଦିନେ ନିର୍ଦ୍ଦିଷ୍ଟ ଜାଗାରେ ।।

✽✽✽

 

ଦୁର୍ଦ୍ଦାନ୍ତ ଲୋକର ଘର

 

ଦୁର୍ଦ୍ଦାନ୍ତ ଲୋକର ଘର

ବାହାରୁ ଦିଶୁଥିଲା

ରଙ୍ଗର ଆଲୁଅରେ ଝଲମଲ ।

 

ଶ୍ରାନ୍ତ ପଥିକମାନେ

କେଜାଣି କାହିଁକି

ଲୋକଟିର ଭୃତ୍ୟ ସାଜି

ଏଇଠି ଯାଉଥିଲେ

ଅଟକି ।

 

ତୁଳାପରି ଚାପିହୋଇ

ରହୁଥିଲେ

ଶିମୁଳି ଫଳର

ନିବୁଜ ଅନ୍ଧକାରେ ।

 

ଶିମୁଳି ଫଳ ଫାଟି

ହଠାତ୍ ଦିନେ

ତୁଳା ଗଲା ଉଡ଼ି ।

 

ନିର୍ଜନ ମଶାଣିର

ଲଣ୍ଡା ବରତଳେ

ଦୁର୍ଦ୍ଦାନ୍ତ ଲୋକଟି ଏବେ

ଚୁପ୍‌ଚାପ୍

ସାମନାରେ ତା’ର

କେତୋଟି କଟାଡ଼ାଳ

ଏ ଘରଟା ଆଉ ନୁହେଁ ତା’ର ।

✽✽✽

 

ଗଛଟିଏ, ଫୁଲଟିଏ

 

ବଣୁଆ ରାସ୍ତାଟିରେ

ଭୟ ଭୟ କରି

ଚାଲି ଯାଉଥିଲି ଯେତେବେଳେ

ତୁ ହଠାତ୍ ଆସି

ଠିଆ ହୋଇଗଲୁ

ମୋ ଆଗରେ,

 

ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଛି,

କ’ଣ କହିବି କହିବି ଭାବିଲାବେଳକୁ

ତୁ ମୋତେ ପ୍ରଥମେ ପ୍ରଶ୍ନ କଲୁ

ମୋ ନାଆଁ କ’ଣ ଠିକ୍ କଲ ?

ମୁଁ ତ ହତବାକ୍

ଏମିତି କ’ଣ କିଏ ପ୍ରଶ୍ନ କରେ

ପ୍ରଥମ ଦେଖାରେ,

ତା’ପରେ ମୁଁ ମନେ ପକାଇଲି

ଆରେ ସତେ ତ

ତୁ ତ ଦିନେ ମୋ ଡାଳରେ

ଫୁଟିଥିଲୁ ଫୁଲଟିଏ ହୋଇ

ସେଦିନବି ପଚାରିଥିଲୁ ମୋତେ

ଠିକ୍ ଏଇ ପ୍ରଶ୍ନ

ମୁଁ କେମିତି ଉତ୍ତର ଦେଇପାରିଥାନ୍ତି ସେତେବେଳେ

ମୁଁ ତ ଥିଲି ମାତ୍ର ଗଛଟିଏ ।।

✽✽✽

 

ଅଥଚ ବିରୋଧାଭାସ

 

ନିଜ ଜାଲରେ ଚିରଦିନ ବନ୍ଦୀହୋଇ ରହିବାକୁ

ଇଚ୍ଛାକରେ ଯେ ବୁଢ଼ିଆଣୀଟି

କେହି କ’ଣ ଭାବିପାରେ ଯେ ସେ ସ୍ୱାଧୀନ ?

ଅଥଚ ନିଷ୍ଠୁରା ବର୍ଷା ତଡ଼ିଦେଲା ତାକୁ

ଅନ୍ଧାରିଆ କଣ୍ଟାବାଡ଼କୁ

ଯେଉଁ ଭଙ୍ଗା କାନ୍ଥଟି

ଝରିଯିବା ଯାହାର ଧର୍ମ

ସେ କ’ଣ କେବେ ପରିହାସ କରିପାରେ ?

ଅଥଚ ବର୍ଷା

ତା’ ଦେହରୁ ମାଟି ଖସାଇ ଭୂଇଁରେ ମିଶାଇ ଦେଲା ।

ଯେଉଁ ଘାସ ବୁଦାଟି

ଯେକୌଣସି ପ୍ରାଣୀକୁ ଦେଖିଲାମାତ୍ରେ

ଭୟରେ ପାଦତଳେ ପଡ଼ିଯାଏ

ତାକୁ କ’ଣ କେହି ଉଦ୍ଧତ କହିପାରେ ?

ଅଥଚ ତାକୁ ଲୌହ ମୁଦ୍ଗରରେ ଆଘାତ କଲା ବର୍ଷା ।

ଅଥଚ ଖଳନାୟିକା ବର୍ଷା

ତା’ର ଅଭିନୟ ସାରି ରଙ୍ଗମଞ୍ଚରୁ ଫେରି ଆସିଲା

ଏବଂ ଝର୍କା କାଚରେ ମୃଦୁ ଆଘାତ କଲା

ଝର୍କା ଖୋଲିଯିବାମାତ୍ରେ ତା’ ଲୁହରେ

ଭିଜିଗଲା ସାରା ଚଟାଣ

ଚଟାଣସାରା ଭାସି ଉଠିଲା

ଜଳଭରା ଶାଗୁଆ ଧାନକ୍ଷେତ ।

✽✽✽

 

ନୀଳ ପ୍ରସ୍ତର

 

ଘଞ୍ଚ ଜଙ୍ଗଲ ଘେରା

ପାହାଡ଼ ଗୁମ୍ଫାରେ

ତୁମେ ନିଦ୍ରିତ ଥିଲ

ନୀଳ ପ୍ରସ୍ତର ।

ମୋ ଦେହର ଅଜସ୍ର କ୍ଷତ

ଲଣ୍ଠନ ପରି ଦିକିଦିକି ଜଳିଲେ

ଅଚିହ୍ନା ଦୁର୍ଗମ ରାସ୍ତା

ଡାକି ନେଲା ମୋତେ

ତୁମ ପାଖକୁ ।

 

ସକାଳର ସୂର୍ଯ୍ୟ କିରଣରେ

ଜଳୁଛି ତୁମରି ଦେହ

ଉଜ୍ଜ୍ୱଳ ଆଲୁଅରେ

ମୋର ସମସ୍ତ କ୍ଷତ

ନିଷ୍ପ୍ରଭ ।

 

ମୋ ଆଖିର

ଜମାଟବନ୍ଧା ଅନ୍ଧକାର ଭିତରେ

ତଥାପି ପାରିଲି ଦେଖି

ଆଖି ଖୋଲି ଚାହିଁଥିଲ

ଥରଟିଏ ମାତ୍ର ।

✽✽✽

 

ଋତୁଚିତ୍ର

 

ଏପରି କୌଣସି ଋତୁ ଦେଖାନାହିଁ

ଯିଏ ଆସେ ବିନା ପଟୁଆରେ

ଏବଂ ଫେରିଯାଏ ନିଃଶବ୍ଦରେ

ଅଥଚ କେଉଁଠି ହେଲେ

ଫୁଲଟିଏ ଫୁଟାଇ ପାରେନି ।

 

ବର୍ଷାସାରା ପତ୍ର କଅଁଳଇ ବିଭିନ୍ନ ଋତୁରେ

ଏବଂ ହାତ ଠାରି ଅବସନ୍ନ ବାଟୋଇଙ୍କୁ ଡାକିଆଣି

ଫୁଲକୁ ଚିହ୍ନାଏ

ବାଟୋଇଙ୍କ କ୍ଳାନ୍ତ ଆଖି ପତା କିନ୍ତୁ ଲୋଡ଼ୁଥାଏ

ଗଛ ଛାଇ, ଟିକିଏ ବିଶ୍ରାମ

ପବନରେ ଫୁଲମାନେ ହସି ହସି ଦୋଳି ଖେଳୁଥାନ୍ତି

ନାନା ଅଙ୍ଗଭଙ୍ଗୀ କରି ଔଦ୍ଧତ୍ୟ ଦେଖାନ୍ତି ।

 

ପ୍ରଚଣ୍ଡ ଉଜ୍ଜ୍ୱଳତାରେ କେତେବେଳେ ଫୁଲ ଜଳୁଥାଏ

କେତେବେଳେ ପାଉଁଶରେ ପୋତି ହୋଇ ମ୍ଳାନ ହୋଇଯାଏ

ତଥାପି ସେ ଜାଳିପାରେ ଯେକୌଣସି ମୁହୂର୍ତ୍ତରେ

ଦର୍ପଣ ପାନିଆ ଆଉ ଚିଠିଲେଖା ଖାତା ।

 

ଡେଣାଭଙ୍ଗା ପ୍ରଜାପତି ମୁମୂର୍ଷୁ ସୈନିକ ପରି

ମାଟିରେ ଘୁଷୁରୁ ଥାନ୍ତି

ଉପରକୁ ଥରେ ଅଧେ ଚାହିଁ ଦେଇ

ଅପମାନ ଭୁଲିବାକୁ ଚେଷ୍ଟା କରୁଥାନ୍ତି ।

 

ଯେଉଁ ଶିଳ୍ପୀମାନେ ପ୍ରକୃତିର ସ୍କେଚ୍ ପାଇଁ ଆସିଥିଲେ

ସେମାନେ ଫେରିଗଲେଣି

କାହାର ଉପହାସରେ ସେମାନଙ୍କ କିବା ଯାଏଁ ଆସେ

ସେମାନେ ମନେ କରନ୍ତି

ଫୁଲ ଛିଣ୍ଡାଇବାଠାରୁ ହୀନତମ ପାପ କିଛି ନାହିଁ,

‘ରୂପାମୃତ ପାନ କଲେ ଆଖି ଭରି’

ଚିତ୍ରରେ ପ୍ରଜାପତିଙ୍କୁ ବସାଇଲେ ଫୁଲେ ଫୁଲେ

ପ୍ରାଣ ପୂର୍ଣ୍ଣ କରି ।

 

ପ୍ରତିଶୋଧପରାୟଣ ଡେଣାଭଙ୍ଗା ପ୍ରଜାପତିଙ୍କର

ଦୀର୍ଘଶ୍ୱାସ ହଜୁଥିଲା ନିକଟ ରାସ୍ତାରେ

ଫେରି ଯାଉଥିବା କ୍ଳାନ୍ତ ବାଟୋଇ ଓ ଭୀରୁ ଶିଳ୍ପୀମାନେ

କ୍ରମଶଃ ଅଦୃଶ୍ୟ ହେଲେ ଦୂର ବିଲ ବଣେ ।

✽✽✽

 

ସବୁଜ ବନାନୀ

 

କାହାର ସେ ହିଂସ୍ର ଦୁଇବାହୁ

ତୁମକୁ କରିଚି ବନ୍ଦୀ

ଛାତି ଥରେ ପ୍ରଚଣ୍ଡ ଭୟରେ

ଏତେଦୂରେ ଠିଆ ହୋଇ

ତୁମ କଥା ମନେ କରିବାରେ ।

 

ତୁମକୁ ନଥିଲି ଦେଖି

ଅତି ନିକଟରୁ

ତୁମେ ପୁଣି ଏତେ ବେଶୀ ହୋଇପାର

ଶାନ୍ତ ଓ ସ୍ୱାଧୀନ

 

ତମ ମୁହଁ ଚାହିଁ ଚାହିଁ

ହଜାଇଲି ମୋର ଯେତେ କ୍ଳାନ୍ତି

ଧୂଳି ଘରେ

ଚଢ଼େଇର ଗୀତ ମୋତେ

କରୁଛି ଉନ୍ମନା ।

✽✽✽

 

ଆଲ୍‍ପିନ୍

 

ବାହାରେ ପଡ଼ିଥିବାର ଦେଖିଦେଲେ ଆଲ୍‌ପିନ୍‌ଟିଏ

ମାଆମାନେ କେତେ ଆଶଙ୍କିତ

ଛୋଟ ଛୋଟ ପିଲାଙ୍କ ମନରେ ଭୟ

କାଳେ ଆଙ୍ଗୁଠିରେ ଆଲ୍‌ପିନ୍ ଫୋଡ଼ି ହୋଇ

ରକ୍ତ ବାହାରିବ ।

 

ବୟସ ମନରୁ ସବୁ ଭୟ କାଢ଼ିନିଏ

ଆଲ୍‌ପିନ୍‌ର ଉଜ୍ଜ୍ୱଳବର୍ଣ୍ଣ ଏବଂ ତା’ର

ତୀକ୍ଷ୍ଣ ଅଗ୍ରଭାଗ

ଗୋଟିଏ ଦିଗରେ ସ୍ଥତି ଅନ୍ୟଦିଗେ ଗତିର ସୂଚନା

ଭରିଦିଏ ଅନ୍ୟମନସ୍କତା,

ଆଲ୍‌ପିନ୍ କେତେବେଳେ ଯୋଡ଼ିଦିଏ

ଦୁଇ ପତ୍ର : ଦୁଇଟି ପୃଷ୍ଠାକୁ

ଅକସ୍ମାତ୍ ଜଣାପଡ଼େ ନାହିଁ ।

ଏମିତି ଅଧରାତିରେ ଶୋଇଥିବାବେଳେ

ଆବିଷ୍କାର କରି ହୁଏ

ବିଲେଇଟେ ଦେହେ ଘଷି ହୋଇ

ଘୁଡ଼ୁଘୁଡ଼ୁ ହୁଏ ।।

 

ଆଲ୍‌ପିନ୍ ଯୋଡ଼ି ଦେଇଛି ଦୁଇପୃଷ୍ଠା ସବୁଦିନ ପାଇଁ

ଦୁଇଟି ପତ୍ରରେ କ୍ଷତ । କ୍ଷତ ଦାଗ କେବେ ଲିଭେ ନାହିଁ

କ୍ଷତର ଯନ୍ତ୍ରଣା ଆହା !

ଯନ୍ତ୍ରଣାର ଆଉ ଶେଷ ନାହିଁ ।

✽✽✽

 

ବସନ୍ତର ସହରଠାରୁ ଦୂରରେ

 

ବସନ୍ତ ସହିତ ମୋର କଥାବାର୍ତ୍ତା

କେବେହେଲେ ହୋଇନାହିଁ

କିନ୍ତୁ ଏକ ନିର୍ବାକ୍ ବନ୍ଧୁତା

ଗଢ଼ି ଉଠିଥିଲା କ୍ରମେ ପରସ୍ପର

ଚାହାଣି ଭିତରେ ।

 

ତଥାପି ସାହସ ତା’ର ଏତେ ବେଶୀ

ଅପ୍ରସ୍ତୁତ ଥିବାବେଳେ

ମୋ ମୁହଁରେ ଫଗୁ ବୋଳିଦେଇ

ନିଃସଙ୍କୋଚେ

ହସୁଥାଏ ଦୂରେ ଠିଆ ହୋଇ,

କି ଆଶ୍ଚର୍ଯ୍ୟ

ରାଗିବାକୁ ଇଚ୍ଛା ହୁଏ ତା’ ଉପରେ

ରାଗିପାରେ ନାଇଁ ।

 

ଆଜି କିନ୍ତୁ ବସନ୍ତର ସହରରୁ ବହୁଦୂରେ

ଅନୁନୟ କରି ଆଜି ଯେତେବି ଡାକିଲେ

ମୋ ଡାକର ପ୍ରତିଧ୍ୱନି ପବନର ତରଙ୍ଗରେ

ଧକ୍କା ଖାଇ ଫେରିଆସ ଧୀରେ ।

ଶେଷରେ ଅଧୈର୍ଯ୍ୟ ହୋଇ

ସକଳ ଆବେଗ ଦେଇ

ଚିଠି ଖଣ୍ଡେ ଲେଖି ପଠାଇଲେ

ଏକାନ୍ତ ଉଷ୍ଣତାହୀନ ପ୍ରତ୍ୟୁତ୍ତର କେବେ ଆସେ

ଦୀର୍ଘଦିନ ପ୍ରତୀକ୍ଷାର ପରେ ।।

✽✽✽

 

କଟକ

 

ଗଛରେ ନୂତନ ପତ୍ର ମୁକୁଳିତ, କଟକରେ ପାଦ ଦେବାକ୍ଷଣି

କଟକର ଅହଂକାର ଗାମ୍ଭୀର୍ଯ୍ୟ ସକଳ

ପାଲଟଇ ଖଣ୍ଡଖଣ୍ଡ ଗୋଡ଼ି ଓ ପଥର

ରାସ୍ତାର ଟିକିଏ ଦୂରେ ପଡ଼ି ରହେ, ନିର୍ଜୀବ ନିକ୍ଷର

ଏତେ ବେଶି କୋଳାହଳ, ସଂଖ୍ୟାହୀନ ଲୋକଙ୍କର ଭିଡ଼

ଭିତରୁ କିପରି ଚିହ୍ନେ ମୋର ସେଇ ବିଷଣ୍ଣ ଚେହେରା

ନିଃଶବ୍ଦରେ ହସି ହସି ପଛଆଡ଼ୁ ଦିଏ ମୋର

ମୁଣ୍ଡବାଳ ଟାଣି ।।

କିଏ ଅବା ଭଲପାଏ ନିଜର ଆନନ୍ଦ ସବୁ

କିଛିକ୍ଷଣ ଲାଗି

ବଳାତ୍କାରେ ଚାପି ରଖି

ଅନ୍ୟର ଉଦାସ ମୁହଁ, ରକ୍ତହୀନ ଭାଷା ଶୁଣି ଶୁଣି

ନୀରବରେ ମୁହଁ ପୋତି

ଦିପଦ କହିବା ଲାଗି

ଫେରିଯିବା ଆଗୁଁ ସମବେଦନାର ବାଣୀ

କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହୁଏ

ଦେଖାମାତ୍ରେ ଏ ସବୁର ସମ୍ପର୍କ ନଥାଇ

ଥଟା ପରିହାସ ଯେତେ ଏ ସହର ଆରମ୍ଭ କରଇ ।।

ଚିର ହସହସ ମୁହଁ କଟକର ପିଲାଳିଆ ଭାବ

ମୋର ଚିହ୍ନା ମଣିଷକୁ କରି ତୋଳେ ଆହୁରି ସୁନ୍ଦର

କଅଁଳ ଖରାର ନାଚ ଦିନସାରା

ମୋର ଚାରିଆଡ଼େ

ହଳଦିବସନ୍ତ ଉଡ଼େ

କୋଠାବାଡ଼ି ଘୋଡ଼ାଗାଡ଼ି କିଛି ନାଇଁ

ଶ୍ୟାମଳ ସହର ।।

✽✽✽

 

ଡାକଘର

 

ଡାକଘର ଖୋଲିଲେ

ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର

ମାନଚିତ୍ର ମନେ ପଡ଼େ ।

ସବୁଦିନ ହେଲେ ମୋର

ଚିଠି ଆସୁଥାନ୍ତା ।

ଚିଠି ଆସେ

ମାତ୍ର ଦିନେ ଦିନେ

ବିନା ନୋଟିସ୍‌ରେ ।

 

ମାନଚିତ୍ର ଦେଖିବାର ଅଧିକାର କେବଳ

ମୋର ଅଛି

ମାନଚିତ୍ରର

କୌଣସି ରଙ୍ଗ ବଦଳାଇବାର

ଅଧିକାର ମୋର ନାହିଁ ।

 

କିନ୍ତୁ

ମାନଚିତ୍ରର ରଙ୍ଗ ବଦଳେ

ଲଫାଫାଟି ଖୋଲିବାରେ ଭୟ କ’ଣ ?

କିଛିହେଲେ ଥିବ ନିଶ୍ଚେ

ପ୍ରିୟ କିମ୍ୱା ଅପ୍ରିୟ ଖବର ।

ତଥାପି ଏତେ ଭୟ

ଆଜି ହଠାତ୍ !

✽✽✽

 

ଛାଇର ସ୍ୱର

 

ମୋର ଛାଇ

ଯାହାକୁ ମୁଁ ଭାବୁଥିଲି ଅବିଶ୍ୱସ୍ତ

ଛଳନା କରୁଛି ନିତି,

ମୋର ଅସହାୟତାରେ

ତା’ର ସେ ସହାନୁଭୂତି

ସତ୍ୟ ନୁହେଁ,

ବୁଝେ ନାହିଁ

ଦିନସାରା ଦ୍ୱାର ବନ୍ଦ କରି

ଶୋଇବାଠାରୁ ଅଧିକ ଦୁଃଖ କ’ଣ ?

 

ତା’ର ସମବେଦନା

(କିଛି ତା’ର ଦୁଃଖ ନାଇଁ ବୋଲି)

ଭୁଲାଇ ରଖିଚି ମୋତେ,

ମୁଁ ଦେଖିନି ତା’ ମନର ଦୁରନ୍ତ ଅରଣ୍ୟ

ଯେଉଁଠି ସେ ପୁଲକିତ ହୋଇ ଉଠେ

ଝୁରୁଥିବା ଗଙ୍ଗଶିଉଳିର

ଥରିଲା ଓଠର ଆକୁଳ ଭାଷାରେ ।

 

ଯେ କେଉଁ ଅନାଗତ ଗୋଟିଏ ମୁହୂର୍ତ୍ତ

ଯାହାର ସ୍ନେହରେ

ବଞ୍ଚି ରହିପାରନ୍ତି ମୁଁ ବର୍ଷ ବର୍ଷ ଧରି

ଭାସି ଯାଉଥିବା ଫେଣ ନଈର ସୁଅରେ

ସାଉଁଟି ଧରନ୍ତି

ଗଛଡ଼ାଳ ପତ୍ର ସବୁ କହୁଥାନ୍ତି

ଆମେ ସବୁ ତମର ତ ଏକାନ୍ତ ନିଜର

ସେଇ ମୁହୂର୍ତ୍ତର ସ୍ୱର

ମୁଁ ଶୁଣି ପାରିଲି ଆଜି

ମୋର ଚିର ଅବିଶ୍ୱସ୍ତ

ଛାଇର କଣ୍ଠରେ ।।

✽✽✽

 

ସମୁଦ୍ର

 

ସମୁଦ୍ର ହଜାଏ ମୋର ଦେଇଥିବା ଠିକଣାକୁ

ବାରମ୍ୱାର

ତଥାପି ଆଗ୍ରହ ବେଶି ପୁଣି ଥରେ ଠିକଣା ଦେବାରେ

ପ୍ରତୀକ୍ଷା ମୋ ଦୀର୍ଘ ହୁଏ

ମୋ ଚିଠିର ପ୍ରତିକ୍ରିୟା ଜାଣିବା ସକାଶେ

ବେଳେବେଳେ ଶୁଣାଯାଏ

ସମୁଦ୍ରର ନୃତ୍ୟଶୀଳ ପାଦର ନିକ୍ୱଣ

ହଠାତ୍ ବାଦ୍ୟଯନ୍ତ୍ରରେ ଅଜାଣତେ ହାତ ବାଜି

ଉଠଇ ଝଙ୍କାର

ପୁଣି ସବୁ ତାଳ ଭଙ୍ଗ, ସ୍ୱର ଭଙ୍ଗ

ମୁହଁସାରା ଜମିଯାଏ ବିନ୍ଦୁ ବିନ୍ଦୁ ଝାଳ

ଦର୍ଶକ ମଣ୍ଡଳୀ ସତେ ରହି ରହି କରେ ଟିଟିକାର ।।

 

ଯେତେବେଳେ ମୁଁ ନିହାତି କାର୍ଯ୍ୟବ୍ୟସ୍ତ

ସମୁଦ୍ରରେ ସ୍ନାନ କରେ ନରମ ସକାଳ

ତେଣୁ ଆଜି ଛାଡ଼ି କରି ଆଉ ଦିନେ

ସେ ସମୟେ ଯିବାର ପ୍ରତିଜ୍ଞା

କ୍ଳାନ୍ତ ହୋଇ ଫେରି ଆସେ

ଔଷଧ ଗନ୍ଧରେ ଭାରୀ ରୋଗୀଟିର ଘରର ପବନ

ଯେଉଁଠି ଶୁଭୁଛି ରହି ମାଆର ଚୁଡ଼ିର ଶବ୍ଦ,

ଶିଶୁର ଗଭୀର ନିଦ,

ସେଇଠାରେ ଲୋଡ଼ଇ ଆଶ୍ରୟ

ଅକସ୍ମାତ୍ ମାଇକ୍ ଗର୍ଜନ ବନ୍ଦ ପରର ପ୍ରଶାନ୍ତି

ଏକୀଭୂତ ହୁଏ ଏଠି

ସମୁଦ୍ରର ନୀଳ ଢେଉ

ଭୟ ଓ ବିସ୍ମୟ ।।

 

ସମୁଦ୍ରକୁ ଭୟଲାଗେ, ଭୟଲାଗେ ଗମ୍ଭୀରତା ତା’ର

କିଛି ବାଟ ଚାଲି ପୁଣି ଫେରି ଆସେ

ନିରୀହ ପଶୁଟି ପରି କ୍ଳାନ୍ତ ମନ

ପାଦତଳୁ ରକ୍ତ ଝରିଯାଏ

ତଥାପି ଶୁଣିଲି ଥରେ, ମୋ ବ୍ୟର୍ଥତା ସତ୍ତ୍ୱେ

ସେ ଆସୁଚି

ରାସ୍ତାରେ ପ୍ରବଳ ବର୍ଷା, ବର୍ଷାର ନିର୍ଝର

ଆନନ୍ଦର ଚରମରେ

ଅଭିନ୍ନ ମଣିଷ ଆଉ ପଶୁଭାଷା

କେବଳ ମୋ କଣ୍ଠେ ଖାଲି ଦୁର୍ବୋଧ୍ୟ ଚିତ୍କାର ।।

 

ସମୁଦ୍ର ଆସିଚି ଆଜି

ତା’ ଢେଉରେ ପାଦତଳ ଛୁଇଁବା କାମନା,

ପୌରୁଷର ଅଭିମାନ ସୃଜିପାରେ ସଞ୍ଜମ ପାହାଡ଼

ଚାହାଣିର ବିନିମୟ, ମୋ ଗମ୍ଭୀର ମୁଖ ଅବନତ,

ସମୁଦ୍ର ଫେରିଲା ଧୀରେ

ଫେରିଗଲା ନୀଳ ନୀଳ ଢେଉ

ଢେଉର ପ୍ରତିଟି ଶବ୍ଦ ପିଟି ହୋଇ ଚୂନା କଲା

ମୋ ଛାତିର ହାଡ଼

ଅସହାୟ ପକ୍ଷୀପରି ଚାହିଁଥିଲି ନୀରବରେ

ଉଡ଼ିଗଲା ଖଣ୍ଡଖଣ୍ଡ କାଠିକୁଟା ବସାଭାଙ୍ଗି

ଦୁର୍ନିବାର ଝଡ଼ ।।

✽✽✽

 

ଗୋଟିଏ ସାକ୍ଷାତ ପରେ

 

ଏମିତି ସାକ୍ଷାତ୍ ହେଲା ଅକସ୍ମାତ୍

ସ୍ଥିର ହେଲା ମୋ ଆଖିରେ ଲୀଳାୟିତା ପ୍ରତିବିମ୍ୱ ତା’ର

ଟ୍ରେନ୍‍ରେ ବିଦାୟ ନେଇ ଗଲାବେଳେ ଯେଉଁ ଗଛମାନେ

ମୋ ପଛରେ କାନ୍ଦି କାନ୍ଦି ଦୌଡ଼ି ଆସିଥିଲେ

ଶେଷରେ ହତାଶ ହୋଇ ରାସ୍ତା ଦାଢ଼େ ଉଦାସ ଭାବରେ

ବସି ରହିଥିଲେ, ଆଜି ଡାଳ ପତ୍ର ନଚାଇ ନଚାଇ

ଆମ ଦି’ ଜଣଙ୍କୁ ସେଠି ଘେରି ଠିଆ ହେଲେ ।।

 

କେତେ କ୍ଷତ ଅଗଣିତ ସବୁ କାହାପାଇଁ

କେତେକେତେ କ୍ଷତ ହୁଏ, କେବେ ପୁଣି ଲିଭିଯାଏ

ସେଥିପ୍ରତି ମୋର ଆଉ ମୋଟେ ଲକ୍ଷ୍ୟ ନାଇଁ

ମୋର କିଆଁ ଅଭିମାନ ହେବ ତେବେ ଗଛଙ୍କ ଉପରେ

ସେମାନେ ଅନ୍ୟମାନଙ୍କ ଆଖି ଉହାଡ଼ରେ

ଲୁଚାଇ ରଖିବା ଲାଗି ଯଦି ଆଜି ଅସମର୍ଥ ହେଲେ

ଅଳ୍ପ କଥାବାର୍ତ୍ତା ପରେ ଚାଲିଯିବା ତା’ ପକ୍ଷରେ

ନିରାପଦ ଥିଲା,

ମନେ ହେଲା ଯେପରି ସେ ହିଂସ୍ର କାଉମାନଙ୍କ ରଡ଼ିରେ

ବିବ୍ରତ ହେଉଛି ଖୁବ୍

ଯଦି ଥରେ ଦେଖିଥାନ୍ତା ସେମାନଙ୍କ ଜଳନ୍ତା ଆଖିକୁ

ବୋଧହୁଏ ମୂର୍ଚ୍ଛା ଯାଇଥାନ୍ତା କ୍ଷଣକରେ ।।

 

କରୁଣ ଓ ଅସମର୍ଥ ଗଛ ପରି ମୁଁ କେବଳ

ଠିଆ ହେଲି ଦୂରତ୍ୱ ବଢ଼ାଇ

କ୍ରମେ ଚାଲିଗଲା ସିଏ ଡଙ୍ଗା ପରି ପ୍ରତିକୂଳ ପବନ ଗତିରେ

କୋମଳ ଓ ଛୋଟ ପାଦ ଦୁଇଗୋଟି ତା’ର

ଅସମ୍ଭବଭାବେ ଏଡ଼େ ଓଜନିଆ

ମାଟି ଦେହେ ସୁଗଭୀର କ୍ଷତ ଚିହ୍ନ ତା’ ପଦପାତରେ ।

ଯନ୍ତ୍ରଣାରେ ମାଟି ହୁଏ ଧୈର୍ଯ୍ୟହରା, କରୁଣ ଆକୁତି

ସୃଷ୍ଟି କରେ ମୋ ଛାତିରେ ପାଦଚିହ୍ନ

ଯନ୍ତ୍ରଣାର ତୀବ୍ର ଅନୁଭୂତି ।।

 

କିନ୍ତୁ ମୁଁ ଅନୁସରଣ କରିଥିଲି

ସେ ଅଦୃଶ୍ୟ ହୋଇଯିବା ପରେ

କରିବ ସେ ଆବିଷ୍କାର

ଦେଖା ହେଲେ ପୁଣି କେବେ ଥରେ

ଲଣ୍ଡାଗଛ ପରି ମୁହିଁ ଥରୁଥିବି

ଭୀଷଣ ଭୟରେ ।।

✽✽✽

 

ମୁହୂର୍ତ୍ତ ମୁହୂର୍ତ୍ତ

 

ସ୍ୱପ୍ନରେ ମୁଁ କେବେ ଥରେ ଦେଖିଥିଲି

ଦୁଇଟି ଉଜ୍ଜ୍ୱଳ ଆଖି

ଅକସ୍ମାତ୍ ନିଦ ଭାଙ୍ଗିଗଲା

ଏହିପରି ଗ୍ରୀଷ୍ମ ଗଲା, ବର୍ଷାବି ବିତିଲା

ମୁଁ ଶୁଣିଲି ମରୁଭୂମି ରୁଦ୍ର ହାହାକାର ପୁଣି

ସମୁଦ୍ରର ଭୀଷଣ ଗର୍ଜନ

ପ୍ରାଣ ବିକଳରେ ମୋର ବନ୍ଦ କଲି ଆଖିଦୁଇ

ପୁଣି ଦୁଇ କାନ

କେଉଁଠି ଧୂଳିର ଝଡ଼, କେଉଁଠାରେ ଉତ୍ତାଳ ଲହରୀ

ବିପର୍ଯ୍ୟସ୍ତ ହୋଇ ପଡ଼େ ଶ୍ୟାମ ଝାଉଁବନ ।

କେଉଁଠି କା ଆଖିତଳୁ ଫୁଟି ଉଠେ

ଧଳା ଫୁଲ ପରି ଧୀରେ ଉଦାସ ମମତା

ମୋତେ ବନ୍ଦୀ କରି ରଖେ ବଗିଚା ଭିତରେ

ମୋ ନିଜସ୍ୱ ଝଲସିତ ଚିତ୍ରପଟଠାରୁ ନେଇ

ଅନେକ ଦୂରରେ

ମନେ ନାହିଁ ଭୁଲିଗଲି କେଉଁଠାରେ ମୋର ଚଲାପଥ

ଗଛ ଛାଇ ତଳେ ଲୋଡ଼େ

ଆଜି ପୁଣି ଭୀରୁ ନିରାପତ୍ତା ।

ମୋ ଗଣନା ସବୁ ଭୁଲ୍ ହୋଇଯାଏ

ଅନିଶ୍ଚିତ ଅଟେ ଭବିଷ୍ୟତ

ମୋ ପୌରୁଷ ଦିଶେ ମୋତେ କ୍ରମେ କ୍ରମେ

ଏକାନ୍ତ ଅସ୍ପଷ୍ଟ

ଭୟ ଲାଗେ ଏକାଏକା ଠିଆ ହେବା

ଦୂରେ ରଖି ଜନତାର ସ୍ରୋତ

ପାହାଡ଼ ଶିଖରେ କେତେକ ଠିଆ ହେବି

ଗର୍ବୋନ୍ନତ୍ତ ମଥା ତୋଳି

କେବେ ପୁଣି ଲୁଚିଯିବି ପାହାଡ଼ ଗୁମ୍ଫାରେ

ସମୟ ତ ଟାଣିନେବ, ସ୍ୱାଭାବିକ;

ମୋତେ ଏକ ପାହାଡ଼ରୁ ଅନ୍ୟ ଏକ ପାହାଡ଼କୁ

ଦୁର୍ବଳ ଅବଶ ପାଦ

ସବୁ ପୂର୍ଣ୍ଣ ସବୁ ଶୂନ୍ୟ, ପୂର୍ଣ୍ଣ ସବୁଠାରେ ।।

✽✽✽

 

ଦିନସାରା

 

ସକାଳ ଓ ସଞ୍ଜବେଳ

ଦିନସାରା

ନରମ ଖରାର ଧାସ

ଦ୍ୱିପ୍ରହର ଆଜି ନାହିଁ ନାହିଁ ।

 

ସୁନେଲି କିରଣ, ଚିକ୍ ଚିକ୍ ଧାନ ବିଲ

ଗଛପତ୍ର ପବନକୁ ଥାପୁଡ଼ାଏ ।

ଗାଁ ଆମ୍ୱତୋଟା

 

ପିଲାଙ୍କର ନାଚକୁଦ

ମୁଁ ଖେଳୁଚି

ସେମାନଙ୍କ ସହିତ,

ନୀରବତା ମୃତ୍ୟୁ ପରି ।

 

ମୁଁ ଆନନ୍ଦରେ ଚିତ୍କାର କରୁଚି

ସେମାନଙ୍କ ସହିତ ।।

 

ସକାଳ ଓ ସଞ୍ଜବେଳ

ଦିନସାରା

ଗୋଟିଏ ଦିନ ସହିତ ଯୋଡ଼ି ହେଉ

ଆଉ ଏକ ଦିନ

ସଂଖ୍ୟାହୀନ ଦିନର ପାହାଡ଼;

ଆଗ୍ରହଭରା ଚାହାଣିରେ

ଗୋଟିଏ ବର୍ଷର ଅପେକ୍ଷାରେ

ଗୋଟିଏ ଜୀବନର ଅପେକ୍ଷାରେ ।।

ଆଜି ଦିନଟା ଶେଷ ହେଲେ

କାଲି ଦ୍ୱିପ୍ରହର ଆସିବ ନିଶ୍ଚୟ

ପିଲାମାନେ ଆଉ ଖେଳିବାକୁ ଆସିବେନି ।।

✽✽✽

 

ରିହର୍ସାଲ

 

ମୋର କ’ଣ ରିହର୍ସାଲ ଲୋଡ଼ାହେ ନିର୍ଦ୍ଦେଶକ

ତୁମେ କ’ଣ ଦେଖିନାହଁ ଦୁଃଶାସନ ଭୂମିକାରେ

ଘଣ୍ଟା ଘଣ୍ଟା ଧରି ମୋର ମୁଖଭଙ୍ଗୀ

ଟିକେ ନ ବଦଳେ

କ୍ଳାନ୍ତି ନ ବଦଳେ

କ୍ଳାନ୍ତି ଅବା ବିରକ୍ତିରେ

ଯେତେବେଳେ ଦ୍ରୌପଦୀର ଶାଢ଼ି ନାହିଁ ଖୋଲେ ।

 

ଅବଶ୍ୟ ମୁଁ ଜାଣିଥାଏ ବାରମ୍ୱାର ଶିଶୁ ମୁଷ୍ଟି ଆଘାତରେ

ପ୍ରତିକ୍ରିୟା କିଛି ହେବନାହିଁ

ପ୍ରତ୍ୟଙ୍ଗର ସଞ୍ଚାଳନେ

ଯେତିକି ବା କୁହାଯାଇପାରେ,

ସେପରି ତ ଶଗଡ଼ଗୁଳା ନିର୍ଦ୍ଦେଶ ଦିଆଯାଇଥାଏ ।

 

ଅଭିନୟେ ମୋର କାହିଁ ବାହାଦୁରି ତୁମର ବା

ଘାଟପାରି କରିବା ତ ତୁମ କାମ

ଉଦାସୀନ ନାଉରିଟି ପରି

ହିସାବ ଦରକାର ନାଇଁ

କିଏ ଗଲା କିଏ ବା ଆସିଲା

କାହାକୁ ଅଜଣା ଅଛି

ଡଙ୍ଗାରେ ଚଢ଼ିବା ଏବଂ ଓହ୍ଲାଇବା ରୀତି

କେହି କେବେ ଭାବନ୍ତି କି

ତୁମର ଭୂମିକା କ’ଣ ଅଥବା ସେ

ଡଙ୍ଗାର ଭୂମିକା

ଡଙ୍ଗା ନେବା ଏ କୂଳରୁ ସେ କୂଳକୁ

ସେ କୂଳରୁ ଏ କୂଳକୁ

ଏଇତ ଜୀବିକା ।

 

ବିନା ରିହର୍ସାଲ ମୋତେ ମଞ୍ଚକୁ ଓହ୍ଲାଇବ

ଦେଖିବ କିପରି

ବଚନିକା ଉଚ୍ଚାରଣ ଶାଣଦିଆ ଆଖି,

କ୍ଳାନ୍ତହୀନ ବାଲିପରି ନଦୀର ପ୍ରଥମ ବାର

ଚାଲି ପରି ବେଖାତିର ଚାଲି ।।

✽✽✽

 

ଦ୍ରୌପଦୀଙ୍କ ଦେହାନ୍ତ ଖବର

 

ପ୍ରଚାରିତ ହୋଇଗଲା ସମଗ୍ର ଦେଶରେ

ଦ୍ରୌପଦୀଙ୍କ ଦେହାନ୍ତ ଖବର ।

ପତିବ୍ରତା ନାରୀମାନେ ଆନନ୍ଦିତ ହେଲେ ।

(କିଏ ନୁହେଁ ପତିବ୍ରତା ପୁଣି ଏ ଦେଶରେ ?)

ଧର୍ମେ ତିଷ୍ଠି ରହିଅଛି ଚନ୍ଦ୍ରାର୍କ ମେଦିନୀ ।

ଆନନ୍ଦିତ ହେଲେ ବେଶି ପୁରୁଷମାନେବି

ପତ୍ନୀଙ୍କର ସଦାଚାର ବଳେ

ଚଢ଼ୁଥାନ୍ତି ଉଚ୍ଚତର ସୋପାନ ସୋପାନ ।

 

ବାତୁଳତା !

ସ୍ୱଦେହରେ ସ୍ୱର୍ଗକୁ ଉଠିବା ଭଳି ଅପଚେଷ୍ଟା

ଦ୍ରୌପଦୀ ବା କରୁଥିଲେ କିଆଁ ?

କାରଣ କୌଣସି ନାରୀ ସତୀ ଶିରୋମଣି

ଏହିପରି ଦୁଃସାହସ କଦାପି ନାହାନ୍ତି

ସୃଷ୍ଟି ଆରମ୍ଭରୁ ।

 

ଯଥାରୀତି ଶୋକସଭା କରାଗଲା ସହରରେ

ର ମଫସଲେ

ଉଭୟ ନାରୀ ପୁରୁଷ ବକ୍ତାଙ୍କର ଉଚ୍ଛୁଳିଲା

ଶୋକର ସାଗର

ସମସ୍ତେ କହିଲେ କିନ୍ତୁ ଗୋଟେ କଥା

ଅପୂରଣ କ୍ଷତି ହେଲା ସମଗ୍ର ଦେଶର

ବିଶେଷତଃ ଧର୍ମ ଜଗତର

ଏପର୍ଯ୍ୟନ୍ତ କୌଣସି ଜଣେବି ନାରୀ

ସକ୍ଷମ ହୋଇନାହାନ୍ତି ଦ୍ରୌପଦୀଙ୍କ ସ୍ଥାନ ପୂରଣରେ

ଯଦିଚ ସେମାନେ ସବୁ ପରିହାସ କରୁଥିଲେ ଦ୍ରୌପଦୀଙ୍କୁ

ମାତିଥିଲେ କଟୁ ସମାଲୋଚନାରେ

ଜୀବିତାବସ୍ଥାରେ

ଯଦିଚ ସେମାନେ ସବୁ କାନ୍ଦିଥିଲେ

ଅସରାଏ ଲେଖାଁ ଲୁହ

ସଭା ମଞ୍ଚେ

ଦ୍ରୌପଦୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ।।

✽✽✽

 

ଭୟ

 

ରାତିସାରା ଚେଇଁ ଚେଇଁ ମୁଁ କିଆଁ ଏମିତି

ସ୍ୱପ୍ନ ଦେଖିଲି ଯେ

ରାତି ପାହିଗଲେ ନିଜକୁ ମଣୁଚି ଦୋଷୀ,

ଏତେ ଅନୁତାପ ପରେ

ଦ୍ୱିତୀୟ ରାତିରେ ନିଶ୍ଚେ ଗାଢ଼ ନିଦ ହେବ ।

ତଥାପି ଏ କ’ଣ ହେଉଚି,

ଖୁବ୍ ପିଲାଳିଆ କଥା ।

ସ୍ୱପ୍ନ ନ ଦେଖିଲେ କ’ଣ ବଞ୍ଚିହେବ ?

 

ବର୍ତ୍ତମାନଠାରୁ ସ୍ୱପ୍ନ କଥା ଛାଡ଼ିଦିଅ

ବଞ୍ଚିବାକୁ ହେଲେ ବିପ୍ଳବ କରିବା ଶିଖ

ଯଦି ବୋମା ପଡ଼ି ମରିଯାଅ, କ୍ଷତି କ’ଣ,

ଇମିତି ମରିବାଠାରୁ ସବୁଦିନ ।

 

ପୋଡ଼ି ଦେଇ ଧଳା ପୋଷାକକୁ ମୋର

ପିନ୍ଧିଚି ମୁଁ ଏପରି ପୋଷାକ

ଯେଉଁଥିରେ ସ୍ୱପ୍ନର ଜରିକାମ ଜଳୁଥିବ ।

ଆଉ ମୁହଁ ପୋତ ନାହିଁ, ସିଧା ଚାଲିବାକୁ ହେବ

ଚିତ୍କାର କର ।

ସମସ୍ତେ ଜାଣନ୍ତୁ,

ସ୍ୱପ୍ନକୁ କିପରି ରାସ୍ତା ଉପରେ

ପ୍ରଚଣ୍ଡ ସୂର୍ଯ୍ୟାଲୋକର ଠିଆ କରିବାକୁ ହୁଏ ।

ଏତେ ଭୟ କ’ଣ ଯେ

ଇସ୍ ଭୟ, ଭୟ, ଖାଲି ଭୟ

ଅକ୍ଷରଗୁଡ଼ିକ ସବୁ ଧୂଆଁ ବାଜି କଳା ପଡ଼ିଯିବ

ଖଣ୍ଡଖଣ୍ଡ ହୋଇ ଏବେ ରାସ୍ତାରେ ଗଡ଼ିବ

ଯାଅ, ଶୀଘ୍ର ଦୌଡ଼ି ଚାଲିଯାଅ ।

 

ଛାତିରେ ହାତ ନ ଦେଇ

କେମିତି ପ୍ରତିଜ୍ଞା କରୁଥିଲ ?

ତୁମପାଇଁ ରାତି ଅଟେ ଖୁବ୍ ନିରାପଦ ।

✽✽✽

 

ବର୍ଷା

 

କାହାକୁ ବିଶ୍ୱାସ ଆଉ କରାଯିବ ?

ବର୍ଷା ଯେତେବେଳେ କ୍ରମେ ମାଡ଼ି ଆସିଲା ଓ

ଠାଏଠାଏ ଭୂଇଁ ଓଦା ହେଲା

ବର୍ଷା ଏମିତି ହଠାତ୍ ନିରୋଳାରେ ଠିଆ ହୋଇ

କ’ଣ ଅବା ଭାବିଲା କେଜାଣି । ମୁହଁ ଢାଙ୍କି ଦୁଇହାତେ

ଫେରିଗଲା ପଛେଇ ପଛେଇ । ଏବଂ ଆଶ୍ଚର୍ଯ୍ୟ ଯେ

ଘାସ ଦେହରେବି ତା’ର ଶେଷ ସ୍ୱର ଅସ୍ପଷ୍ଟ ।

ଅବଶ୍ୟ ଏକଥା ଜଣା ସମସ୍ତଙ୍କୁ

ବର୍ଷା କ୍ଷଣସ୍ଥାୟୀ ଏବଂ ବିଶ୍ୱାସଘାତକ,

ତଥାପି କାହିଁକି ବର୍ଷା ହେବା ସମୟରେ ଏ ସତ୍ୟଟି

ଛୁଏଁ ନାହିଁ କାହାରି ମନକୁ ।।

 

ଏପରି ହୁଏତ ମଣିଷ ଥାଇ ପାରନ୍ତି, ଯେଉଁମାନଙ୍କର

ପାଦର ଆଙ୍ଗୁଳିଠାରୁ କେଶାଗ୍ର ପର୍ଯ୍ୟନ୍ତ

ବର୍ଷାର ଉପାଦାନରେ ଗଢ଼ା, ସ୍ୱଭାବତଃ ଅଟଇ ସୁନ୍ଦର ।

କିନ୍ତୁ ତୁମେ ଦେଖିନାହଁ କି ମୁଁ ଦେଖିନାହିଁ

ବର୍ଷା ଏପରି କହିଛି ଯେ

ବେଦନା ଓ ଆର୍ତ୍ତି ନେଇ କବିତା ଲେଖିବାଠାରୁ

ମୂର୍ଖତା ବା କ’ଣ ହୋଇପାରେ ?

ନିଜସ୍ୱ ବଗିଚାରେ ତା’ର ଚାହାଣି ସ୍ଥିର

ଝରକା, ଦ୍ୱାରବନ୍ଧ ଏବଂ ମୋର

ଚୌକିସବୁ ଧୂଳିପୂର୍ଣ୍ଣ । ମୁଁ ଜାଣେ ଯେ

ତୋରଣ ବାନ୍ଧିବା ଅର୍ଥହୀନ । ମୋର ପୌରୁଷର

ଅହଂକାର ଗୁମ୍ଫାରେ ଗର୍ଜନ କରେ ବାଘଭଳି

ଦ୍ୱାର, ଝର୍କା ସବୁ ଖୋଲାଥାଏ ।

 

ତମେ ପରା ବର୍ଷାର ଔଦ୍ଧତ୍ୟ ଭାଙ୍ଗିଥିଲ

ଏବଂ ସ୍ୱୀକାର କରାଇଥିଲ ଯେ

ମୋର କୋଠରୀ ଥିଲା ବହୁତ ସୁନ୍ଦର

ଏବଂ ମଣିଷର ବେଦନାହିଁ

କବିତାର ଶ୍ରେଷ୍ଠ ଉପାଦାନ ।

✽✽✽

 

ବନ ଦହନ

 

ଶାନ୍ତ ଆକାଶ କଷଣ ଦେଉଚି, ବନଭୂଇଁ

ସବୁଜ ପତରେ ଚାହିଁଦେଲେ ଥରେ

ଡହଳବିକଳ କାହାପାଇଁ ?

 

ସବୁ ଭୁଲିବାକୁ ଶୋଇଥିଲି ମୁହିଁ

ନିଘୋଡ଼ ନିଦରେ ଦିନବେଳେ

ନିଆଁର ଧାସ ମୋ ଦେହରେ ଲାଗିଲା

ଛାତି ଦମଦମ

ବଣସାରା ଖାଲି ନିଆଁ ଜଳେ ।

 

ଭୟରେ ଆଖି ମୁଁ ବୁଜି ଦେଲି ପୁଣି

ହଠାତ୍ ଖୋଲିଲି ଆଉଥରେ

ଦେଖିଲି ଆଗରେ, ତମେ କିଛି ଦୂରେ

ଗୋଟିଏ ଲୟରେ

ଚାହିଁ ରହିଚ ମୋ ମୁହଁଆଡ଼େ ।

 

ଜାଣି ମୁଁ ନଥିଲି ଏତେ ନିକଟରେ

ରହିଚି ଝରଣା, ଦିଶୁଅଛି କୂଳ ଓଦାବାଲି

ସମୟ ତ ନାଇଁ ଠିଆ ହେବାପାଇଁ

ଆଶ୍ରା ଖୋଜି ମୁଁ ଏଣେତେଣେ ଖାଲି

ଦଉଡ଼ିଲି ।

 

ଏତେବେଳେ ତମେ ଠିଆ ହୋଇଥିବା କଥା ମୋର

ମନେ ପଡ଼ିଗଲା, ଚାହିଁ ଦେଲି ଫେରି, ଥରଥର

କମ୍ପିଲା ଛାତି, ତମେ ଚାଲୁଅଛ ମୁହଁ ପୋତି

ଚାହୁଁ ନାହଁ ଆଉ ମୋ ଆଡ଼କୁ ଥରେ

ଦେହସାରା ମୋର ଯାଏଁ ତାତି

ଝରଣା ତ ନାଇଁ ବଣସାରା କାହିଁ

ଅତି ନିକଟରେ ନିଆଁ ଖାଲି ନିଆଁ

ତତଲା ପବନ ସାଇଁସାଇଁ ।

 

ଶାନ୍ତ ଆକାଶ କଷଣ ଦେଉଚି, ବନ ଭୂଇଁ

ଚାରିଆଡ଼େ ମୋର ଜଳୁ ଅଛି ନିଆଁ

ହାତ ଧରି ଏଠୁ ଟାଣି ନେବାପାଇଁ କେହି ନାଇଁ ।।

✽✽✽

 

ଭଦ୍ରକ

 

ଭଦ୍ରକ, ତୁମକୁ ଥରେ ସ୍ୱପ୍ନରେ ମୁଁ ଦେଖିଥିଲି

ତିନୋଟି ଆଙ୍ଗୁଠି

କଟିଗଲା, ରକ୍ତଧାର, ରୁଦ୍ଧ କୋଠରୀରେ

ମୋ ଚିତ୍କାର କାନ୍ଥ ଦେହେ ଧକ୍କା ଖାଇ

ଫେରି ଆସୁଥିଲା

ଲୋକଙ୍କର କଥାବାର୍ତ୍ତା ଅବୋଧ୍ୟ ବାହାରେ ।।

 

ତୁମ ଅଭିମାନ ସବୁ ଅର୍ଥହୀନ

କାରୁଣ୍ୟରେ ଭରିଯାଏ ଯେବେ ନଦୀମନ

ପଛକୁ ଚାହିଁବା ଖାଲି ବାରମ୍ୱାର,

ବିଡ଼ମ୍ୱନା, କେଉଁଠି ପାହାଡ଼ ଦୂରେ

ଅସମ୍ଭବ ପୁଣି ଫେରିବାରେ

କିପରି ମୁଁ କହିଥାନ୍ତି

ହସର ପରଦା ତୋଳି

ବସ ବସ ମୋର ଚଉକିରେ ।।

 

ଚାରିଆଡ଼େ ଛାଇ ଖାଲି ନଇଁ ଆସେ

ଗ୍ରୀଷ୍ମ ଦ୍ୱିପ୍ରହର

ତଥାପି ଟିକିଏ ନାଇ ଶୀତଳତା

ଜଳୁଚି ସହର ।।

 

ନିରୁଦ୍ଦିଷ୍ଟ ଲୋକ ପରି

ହଠାତ୍ ଅଟକି ଗଲି କା’ର ଡାକ ଶୁଣି

ମନେ ହେଲା

କା’ କଣ୍ଠର ପରିଚିତ ଅନ୍ତରଙ୍ଗ ବାଣୀ,

ମୁଁ ସ୍ଥିର ନିଶ୍ଚିତ ଆଜି

କେବଳ ଚାହିଁବା ଲାଗି ଆଗକୁ ଆଗକୁ

ପାଦତଳେ ମୃତ ରାସ୍ତା,

ଏଠାରେ ସୁନ୍ଦର ଖୁବ୍ ପବନର ଘର

ମୁଁ ଦେଖୁଚି ଛାଇ ସବୁ ପାଲଟୁଚି

ହସହସ ଜୀବନ୍ତ ଶରୀର ।।

✽✽✽

 

ତୀର୍ଥଯାତ୍ରୀ

 

ସେଦିନ ରାସ୍ତାରେ ଭେଟି

ଧୂଳିଖେଳେ ମାତିଥିବା ଶିଶୁଟିକୁ ପଚାରିଲ

କେମିତି ଅଛୁରେ ?

ସେ ରହିଲା ଚୁପ୍‍ଚାପ୍

ନ ଚାହିଁଲା ମୁହଁ ଟେକି

କାରଣ ତମକୁ ଜଣା ପ୍ରଶ୍ନର ଉତ୍ତର ।

 

ସେ କେତେ ସମୟ ବୋଧେ

ଭୁଲି ଯାଇଥିଲ

ତୁ ଜଣେ ତୀର୍ଥଯାତ୍ରୀ

ଜନ୍ମଠାରୁ ବନ୍ୟା ପରି ବଢ଼ୁଥିବା ଅଧିକାର ମମତ୍ୱ ବୋଧର

ଶେଷ ହୋଇ ଯାଇଅଛି

ନଦୀଗର୍ଭ ବାଲୁକା ଦିଶୁଛି ।

 

ଶେଷଥର ଫଳସବୁ ଝଡ଼ିଯିବା ପରେ

ଅଭିମାନୀ ଗଛଟିଏ ପରି ତମେ

ଆଖି ଛଳଛଳ କରି କାହା ଅପେକ୍ଷାରେ,

ତୁମକୁ ଥରାଇ ଦେଇ ବାରମ୍ୱାର

ଜୁଳୁଜୁଳୁ ଚାହୁଁଥିବା ଲୋକଭର୍ତ୍ତି

ଟ୍ରେନ୍ ଚାଲିଯାଏ ।

 

ଗାଁର ଠାକୁରଘର ନଈନାଳ ବିଲବଣ

ସେ ସବୁ କେତେ ଯେ ଦୂରେ

ଜଳୁଥିବେ ଦିପହର ଝାଞ୍ଜିରେ ଉଦାସ

ଛଟପଟ ହେଉଥିବ ଶଗଡ଼ଗୁଳା ରାସ୍ତାରେ

ଗାଁଟିର ଦୀର୍ଘ ଇତିହାସ ।

✽✽✽

 

ଡ୍ରାଇଭର

 

ଗାଡ଼ିର ଦର୍ପିତ ଛାଇ

ସ୍ଥାବର ଗଛମାନଙ୍କୁ ଚୁପ୍‍ଚାପ୍ କରିଦିଏ ଆଙ୍ଗୁଠି ଦେଖାଇ

ସବୁବେଳେ ଦୌଡ଼ିବାକୁ ଇଚ୍ଛା କରୁଥିବା ରାସ୍ତା

ବହୁଦୂରେ ପଡ଼ି ରହେ

ଦୌଡ଼ିପାରେ ନାହିଁ ।

 

‘ଛାମୁ ଛାମୁ ! ଛାମୁ ଛାଡ଼’ ! ଡାକ ଶୁଣି

ଛିଟିକି ପଡ଼ିବା ଲୋକେ

ପ୍ରତାପୀ ଓ ଭାଗ୍ୟବାନ ଡ୍ରାଇଭରକୁ ଚାହାନ୍ତି

ଭୟ ସମ୍ଭ୍ରମରେ ।

 

ଯେତେବେଳେ ପୋର୍ଟିକୋ ତଳରେ ଗାଡ଼ି

ବସି ରହେ ଉଦ୍ଧତ ଭଙ୍ଗୀରେ

ଡ୍ରାଇଭର–କପାଳର ଶିରାମାନେ ଗଣୁଥାନ୍ତି

ଶେଷଦିନ କେବେ ହେବ ଜେଲ ମିଆଦର,

ଡ୍ରାଇଭର ଛୁଟି ଯିବ ପୂର୍ବପରି,

ଗାଡ଼ିକୁ ଛୁଟାଇ ନେବ,

ଅପେକ୍ଷା ଅପେକ୍ଷା ମାତ୍ର ପ୍ରଭୁଙ୍କ ଆଦେଶ ।

 

ଷ୍ଟିଅରିଂରେ ମଥା ଦେଇ ବସିଥାଏ ଡ୍ରାଇଭର

ଚାହୁଁଥାଏ ବାରମ୍ୱାର ଘର ଭିତରକୁ

ଗଛରୁ ପତ୍ର ପଡ଼ିଲେ ଜଣାପଡ଼େ

ବାହାରକୁ ଆସୁଥିବା ଜୋତା ଶବ୍ଦ ପରି,

ବାଟ ଚଲା ଲୋକଙ୍କର ପରିହାସେ ଭୟ କରି

ମୁଣ୍ଡ ପୋଡ଼ି ହୁଙ୍କା ସେ ପାଲଟି ଯାଏଁ

ଯଦିଚ ତାହାର ନାହିଁ ଅଭିଳାଷ

ଅଭିନୟେ ବାଲ୍ମୀକି ହେବାର ।।

✽✽✽

 

ସାଂସାରିକ

 

ଯେଉଁଠାରେ ଝରଣାର ଚାଲିବାର ଶବ୍ଦ ଶୁଣାଯାଏ

ଗଛସାରା ଜାମୁକୋଳି, ପଡ଼ୁଥାଏ ଟପ୍ ଟପ୍ ତଳେ ବିଞ୍ଚିହୋଇ

ଦିନରାତି ଲାଗିଥାଏ ପକ୍ଷୀଙ୍କର କିଚିରି ମିଚିରି

ଠେକୁଆ ମିରିଗ ସବୁ ଲୁଚକାଳି ଖେଳୁଥାନ୍ତି ଗଛଙ୍କ ସାଥିରେ

ଦୂରବଣ କି ସୁନ୍ଦର ଭସାମେଘ ତଳେ ।

 

ମୋର ଆଗେଇବାବେଳେ

ଘୁଞ୍ଚି ଘୁଞ୍ଚି ଯାଉଥିବା ସବୁଜ ପ୍ରାଚୀର

ବାଟ ଛାଡ଼ି ଦେଲା ଦିନେ ଦେଖିଲି ମୁଁ

ଝରଣାର କେଉଁଠାରେ ପାଣି ଟୋପେ ନାଇଁ

ଗଛ ସବୁ ପ୍ରେତପରି ଦିଶୁଛନ୍ତି ପତ୍ରଝଡ଼ା ଦେଇ

ବଣଭୂଇଁ ପକ୍ଷୀ ଆଉ ମିରିଗଙ୍କ ରକ୍ତେ ଜୁଡ଼ୁବୁଡ଼ୁ

ପ୍ରାଣ ଥରହର ହୁଏ ବାଘ ଭାଲୁଙ୍କ ଚିତ୍କାରେ ।।

✽✽✽

 

ନୂଆବର୍ଷର କବିତା

 

ତୁମେ କ’ଣ

ଅସ୍ୱୀକାର କରିବ ଯେ

ତୁମେ ପରିଚିତ ହେଲ

ମୋ ଯୋଗୁଁ କେବଳ ?

ମୁଁ ଏମିତି

କହିବାର ଅର୍ଥ କ’ଣ ?

 

ବୟସ ତ

ଶୁଖିଲା ପତ୍ର ଉପରେ

ଚାଲିବାର ଶବ୍ଦ,

ମୋଠୁଁ ବଳି

କିଏ ଅଛି ବଡ଼ ସ୍ୱାର୍ଥପର ?

✽✽✽

 

ଅବଶୋଷ

 

ତମେ ଥରେ

ନ ଚାହିଁଲେ

ଅଚାନକ

ସବୁଜ ପତ୍ରରେ

ନିଆଁ ଲାଗିଯାଏ;

 

ସବୁ ପୋଡ଼ିଗଲା ପରେ

ପତ୍ରଟିର,

 

ମୋପାଇଁ

କେବଳ ରହେ

ଜଳ ବିନ୍ଦୁଟିଏ ।।

✽✽✽

 

ବସ୍ ଚାଲିଚି

 

ସେତିକିବେଳୁ

ହୋଇଚି ଠିଆ

ହେଲାଣି ଧୈର୍ଯ୍ୟ ଶେଷ

 

ସିଟ୍ ଗୋଟିଏ

ମିଳିବ କେବେ

ହେଉନି ତ ବିଶ୍ୱାସ

 

ବାଟରେ ଯଦି ଓହ୍ଲାଏ ଜଣେ

ଆଗେଇ ଗଲାବେଳକୁ ଟିକେ

ଆଶାନ୍ୱିତ ହୋଇ

 

ହଠାତ୍ କିନ୍ତୁ

ଆଗରୁ ଜଣେ

ବସି ପଡ଼ୁଚି

ସେଇ ସିଟ୍‍ରେ ଯାଇ

 

ସିଟ୍ ଗୋଟିଏ ମିଳିବ ନାଇଁ

ଆଶା ଆଉ ନାଇଁ

 

ଅପେକ୍ଷା ମୁଁ କରୁଥିବି

ମୋପାଇଁ କେହି ଅପେକ୍ଷା କରେ ନାଇଁ

 

ସେମିତି ବସ୍ ପୂର୍ବପରି

ଚାଲିଥିବ ଧାଇଁ ।।

✽✽✽

 

ନିର୍ଜନ ରାତିରେ

 

ନିର୍ଜନ ରାତିରେ

ସୋରିଷ ଫୁଲ କ୍ଷେତ୍ରରେ ପଡ଼ିଥିବା

ବିନ୍ଦୁ ବିନ୍ଦୁ କାକର ଭିତରେ

ମୁଁ ଦେଖିବାକୁ ପାଇଲି

ମୋ ମନ ଭିତରେ

ଭଙ୍ଗା ହୋଇ ଜମା ହୋଇଥିବା

ଅକ୍ଷରଗୁଡ଼ିକ

ଯୋଡ଼ି ହୋଇ ଯାଉଚି

ଏବଂ ବାରମ୍ୱାର ଛାପି ହେଉଚି

ତମରି ନାଁ

ଚିରଦିନ ଦୁର୍ବୋଧ୍ୟ

ଚଢ଼େଇଙ୍କ କିଚିରି ମିଚିରି

ମନେ ହେଉଚି ଖୁବ୍ ଅର୍ଥପୂର୍ଣ୍ଣ ।

✽✽✽

 

ଶୀତପାଇଁ

 

ଏତେ ମୋର ସଙ୍କୋଚ ଯେ

ମୁଁ କେବେ ପାରେନି କହି

ଶୀତର ଅନୁପ୍ରବେଶ

ମୋ ନିଃସଙ୍ଗ କୋଠରୀରେ

ଖୁବ୍ ଭଲ ଲାଗେ ।

 

ଶୀତର ବୋକାମି ଦେଖି

ହସିବାକୁ ଇଚ୍ଛା ହୁଏ;

ଦ୍ୱାର ବନ୍ଦ କରି ବସି

ରହିବାର ଅର୍ଥ କ’ଣ

ଶୀତ ପ୍ରତି ମୋର ଅବହେଳା ?

 

ଶୀତ ଯଦି

ଅଭିମାନେ ଫେରିଯାଏ

ଥରେବି ନ ଡାକି

ଫୁଟିଥିବା ଫୁଲସବୁ ଝରିଯାଏ

ଗୋଟିଏବି ରହେ ନାଇଁ ବାକି ।।

✽✽✽

 

ଶ୍ୱେତପଦ୍ମାକୁ

 

ଶ୍ୱେତପଦ୍ମା, ତୁମେ କେବେ ସ୍ୱପ୍ନ ଦେଖି

ଉଠି ବସିଥିବ

ଗଭୀର ବିସ୍ମୟ ନେଇ ତମ ବିଛଣାରେ

କାନ ପାରି ଶୁଣିଥିବ କାହାର ପାଦର ଶବ୍ଦ

କ୍ରମେ ହୁଏ ନିକଟୁ ନିକଟ

ରକ୍ତରେ ଭରିଚି ତା’ର ପାଦ ଚିହ୍ନ

ସେ ଆସୁଚି ଏ ଆଡ଼କୁ ନ ଚାହିଁ,

 

ଦୁର୍ବଳର ପ୍ରତିଜ୍ଞା ତା’ ଭାଙ୍ଗିପଡ଼େ ଥରଥର

ପରାଜିତ ସୈନ୍ୟ ପରି ଲୋଡ଼ୁଚି ଆଶ୍ରୟ

ତୁମେ କ’ଣ ଭାବିଥିଲ ଦିନେ କେବେ

ଉତ୍ତାଳ ତରଙ୍ଗ ଆସି

ମଥା ନୋଇଁ ଦେବ ଅସହାୟ ।

✽✽✽

 

ଆଶଙ୍କା

 

ମୋର ଇଚ୍ଛାହୁଏ

ତୁମକୁ ଅଭିନନ୍ଦନ କରିବାକୁ

ତୁମର କୃତିତ୍ୱ ଲାଗି

 

କିନ୍ତୁ ମୋର ସାହସ ହୁଏନି

ତୁମ ନିକଟରେ ପହଞ୍ଚିବାକୁ

ହୁଏତ ତୁମେ

ମୁହଁରେ ଗମ୍ଭୀରତା ଆଣି

ମୋ ଆଡ଼କୁ ଥରେ ଚାହିଁବ

ପୁଣି ମୁହଁ ବୁଲାଇ ନେବ ।

 

ଯେଉଁ ଆଶଙ୍କା ମୋତେ ଟାଣି ଧରେ

ସେ ଆଶଙ୍କା ଯଦି

ଅନେକ ଅଭିନନ୍ଦନକାରୀଙ୍କ ଭିତରୁ

ମୋତେ ଏକା

ଫୁଲମାଳ ଦିଏ ?

✽✽✽

 

ସମାପ୍ତି

 

ମୁଁ ଚାହିଁଥିଲି ନିର୍ବାସନ

ଅନ୍ୟମାନଙ୍କର ଅନୁରକ୍ତିଠାରୁ

ମିଳିପାରେ ହୁଏତ ପ୍ରଶାନ୍ତି ।

 

କିନ୍ତୁ ଆଜି ଦେଖୁଛି

ସେଇ ଅନୁରକ୍ତି ମୋତେ

ତଥାପି ବନ୍ଦୀ କରି ରଖିଛି ।

ନୂତନ ଅନୁରକ୍ତିର ଅଭାବରେ

ଜୀବନ ମୋର ବ୍ୟର୍ଥ ହୋଇ ଯାଇଛି ।

 

କେଉଁଠାରେ ପରିପୂର୍ଣ୍ଣତା

କିମ୍ୱା ଅପୂର୍ଣ୍ଣତା କେଉଁଠାରେ

କେଉଁଠାରେ ଦ୍ୱନ୍ଦ୍ୱର ସମାପ୍ତି ?

✽✽✽

 

ଶୂନ୍ୟ କୋଠରୀ

 

ମୁଁ ତ କହି ପାରିବିନି ସେ କେଉଁ ଆବେଗ

ମୋତେ ଟାଣିନେଲା ଏକ କୋଠରୀ ଆଡ଼କୁ

ଝୁଲି ଝୁଲି ମୁଁ ଚାଲିଲି

ବୁଢ଼ିଆଣୀ ସୂତାଖିଅ ଧରି ।।

 

ମୁଁ କାହିଁକି ଆସିଥିଲି, ଶୂନ୍ୟତାର ଅସହ୍ୟ ରାଜତ୍ୱ

କେହି ନାହିଁ,

ତଥାପି ତ କୋଠରୀର ଆବଦ୍ଧ ବାୟୁରେ

ଖେଳି ବୁଲେ ବାସ୍ନା କା’ର

ଆଘ୍ରାଣ ମୁଁ କଲି ମନଭରି ।

 

ବର୍ତ୍ତମାନ ମୁଁ ଏକାକୀ ଏଇଠାରେ

ଫେରିବାର ଇଚ୍ଛା ମୋଟେ ନାହିଁ

ମୋ ହତାଶା ଫୁଟି ଉଠେ ପାଦତଳେ ।

ଧଳାଫୁଲ ହୋଇ ।।

✽✽✽

 

ଆଶ୍ରୟ

 

ଖରାର ତେଜ ପ୍ରଖର

ଆସିଥିଲ ତୁମେ ତେଣୁ

ମନ୍ଦିରର ଛାଇ ତଳେ

ଆଶ୍ରୟ ନେବାକୁ,

 

ପୂର୍ବରୁ ମୁଁ ଭାବିଥିଲି

ମନ୍ଦିରର କାରୁକାର୍ଯ୍ୟ

ମନ୍ତ୍ରମୁଗ୍ଧ କରିଲା ତୁମକୁ ।।

✽✽✽

 

ଜନ୍ମ ତାରିଖ

 

୧୮୫୭ ଜୁଲାଇ ସାତ ତାରିଖ,

୧୮୫୭ ଜୁଲାଇ ସାତ ତାରିଖ

ସ୍ମରଣ କରାଇ ଦିଏ ଜନ୍ମ ତାରିଖକୁ ମୋର

ବର୍ଷକରେ ଥରଟିଏ ଆସୁଥିବା

ପ୍ରତିଶୋଧପରାୟଣା ପ୍ରେମିକାର ଚିଠି

 

ରାସ୍ତାଦାଢ଼ ସବୁଜ ପତ୍ରର ଚିତ୍ର

ଶଗଡ଼ର ଧୂଳି ଜମି କ୍ରମଶଃ ବିକୃତ ହୁଏ

ବୁଝି ହୁଏ ନାହିଁ;

 

ବୟସଟା ଦୁଷ୍ଟ ଶିଶୁପରି

ଯେତେ ଆଗୁଳିବା ସତ୍ତ୍ୱେ

ହାତ କିମ୍ୱା ଗୋଡ଼ ଫାଙ୍କେ ଲାଗିପଡ଼ି ରାସ୍ତା ଖୋଜୁଥାଏ

ସେ ନିଶ୍ଚୟ ଚାଲିଯିବ ବାହାରକୁ

ଜନ୍ମ ତାରିଖରେ;

 

ଆଜିପାଇଁ ଚିଠିବଣ୍ଟା ସରିଗଲା ଡାକବାଲାଟିର

କାଲି ପୁଣି ସେ ଆସିବ ନୂଆ ଚିଠି ନେଇ

ସମ୍ୱର୍ଦ୍ଧନା ଜଣାଇବି ଦୌଡ଼ି ଯାଇ ଗେଟ୍‍ଯାଏଁ

ଏକ ନିଃଶ୍ୱାସରେ;

 

ଆଗେଆଗେ ଚାଲୁଥିବା ଛାଇ ମୋର

ଆଶ୍ୱାସନା ଦେବ ମୋତେ ଗତବର୍ଷ ପରି

ଠିକ୍ ଅଛି, ଟିକେବି ବଦଳି ନାହିଁ ତମ ଚେହେରାରେ ।

✽✽✽

 

ରଙ୍ଗ ମୁହୂର୍ତ୍ତ

 

କେଉଁଆଡ଼େ ବହିଯାଏ ସେ ପାଣି ଧାରଟି, ଧୀରେ ଧୀରେ

କେତେବେଳେ ଜଣାଯାଏ ଉଦାସୀନ

କେତେବେଳେ ସ୍ନେହସିକ୍ତ, କରୁଣ କରୁଣ

ଅସଂଖ୍ୟ ବ୍ୟସ୍ତତା ଠେଲି କିଏ ଚାହେଁ ତା’ ଆଡ଼କୁ

ଚଢ଼େଇର ଜିଜ୍ଞାସୁ ଆଖିରେ

ବହିବା ଧର୍ମ ତ ତା’ର ସେହିପରି ନିତିଦିନ ବହି ଚାଲିଥିବ

ପ୍ରଶ୍ନ କେହି କେବେ ତାକୁ କରିବେନି

ନିଜକଥା ନିଜକୁ ସେ ଚାଲିଥିବ ।

କଥାର ଅଡ଼ୁଆସୂତା, ସରେ କ’ଣ ?

କେଉଁଠାରେ ମୂଳ ତା’ର କେଉଁଠି ବା ଶେଷ ?

ଆକାଶ ନୀଳରେ କେବେ ପାଣିରଙ୍ଗ ନୀଳ ହୁଏ

କେବେ ବା ବିବ୍ରତ ହୁଏ, ନିଜକୁ ସେ ଘୃଣା କରେ

ହଠାତ୍ କୁତ୍ସିତ ରୂପ, ଅଦିନିଆ ବର୍ଷା ଅସରାରେ ।

ନିଜକୁ ପାରିନି ଦେଖି ଦିନେହେଲେ

ତା’ ନିଜର ସ୍ୱଚ୍ଛ ଦର୍ପଣରେ

ବାରମ୍ୱାର କ’ଣ ଅବା କହି ଚାଲେ ନିଜକୁ ସେ

ଛୋଟପିଲା ଭଳି,

ତା’ ପ୍ରଶ୍ନର କ’ଣ ହୁଏ ?

 

ଗଛଟିଏ ଭାଙ୍ଗିପଡ଼ି ତା’ ନିଜର ଅସୀମ ଦୁଃଖରେ

ବାଟୋଇଟି ଯଦି ମରିଯାଏ

ତେବେ ତା’ର ଦୋଷ କ’ଣ ?

ସେ ତ ପଡ଼ି ଯାଇଅଛି ଲକ୍ଷ୍ୟହୀନଭାବେ

ଜୀବନର ସକଳ ଲୁହକୁ

ପରିଣତ କରିଦେଇ ଏକ ନିଃଶ୍ୱାସରେ

ଘଣ୍ଟା ଶବ୍ଦ ଏତେବେଳେ

ତା’ ପାଖରେ କେତେ ଅର୍ଥହୀନ ।

 

ଟ୍ରାଫିକ୍ ପୋଲିସ୍‍ଟିର ବାର୍ଦ୍ଧକ୍ୟ ଭିତରେ

କେବଳ ଅପେକ୍ଷା ଯାହା

ନିତିଦିନ ଶ୍ୱାସରୁଦ୍ଧ ହୁଏ,

ଆକାଶର ନୀଳ ନୀଳ ଭରା ଆଖି

ପାଣିଧାର ଛଳଛଳ ଚାପାହସ

ଗୋଟିଏ ମୁହୂର୍ତ୍ତ ଲାଗି ଆସନ୍ତା କି,

ସମସ୍ତ ମୁହୂର୍ତ୍ତ

ଅନ୍ଧ ହୋଇ ଲେଖୁଥାନ୍ତେ ଇତିହାସ

ବଦଳାଇ ଋତୁର ନିୟମ ।।

✽✽✽

 

ଖରାବେଳ

 

ଖରାବେଳେ କି ନିଷ୍ଠୁର

ଟାପୁମାରି ଠିଆ, ମୋର

ପ୍ରତିଦ୍ୱନ୍ଦ୍ୱୀ ପରି

ପାଦଚିହ୍ନ ଗଣୁଥାଏ

କ’ଣ ତା’ର ଦରକାର

ମୁଁ କୁଆଡ଼େ ଗଲି ବା ଆସିଲି ।

 

ଅଥଚ ମୁଁ ଜାଣିଥିଲି

ମୋ ମୁହଁରେ ଥରଥର

ବିନ୍ଦୁ ବିନ୍ଦୁ ଝାଳ

ଜମୁଥିବ, ପୁଣି ଶୁଖୁଥିବ

ମୁହଁର ରଙ୍ଗ ମୋହର

କେତେବେଳେ ନାଲି ହେବ

ଫସଲ ଉଠିବା ପରେ ଜମି ପରି ଶେତା ଅବା

କଳାକାଠ କେବେ ପଡ଼ିଯିବ,

ଅପେକ୍ଷା କରିବା ଲାଗି ବାରମ୍ୱାର

ଅନୁରୋଧ ମୋତେ କରି

ସେ ଆସିବ ନାଇଁ ଆଜି

କହିଥିବା କଥା ଅବା

ତାହାର ଆଖି ମିଟିକା

ମୁହୂର୍ତ୍ତକେ ଯାଇଚି ପାଶୋରି ।

 

କ’ଣ ଲାଭ ମୁଁ ପାଇଲି

ଖୋଜି ଖୋଜି ନଈବାଲି

ଓଠ ଶୁଖିଗଲା

ମୁଁ ତ ପୁଣି ଚାହୁଁଥିଲି

ମୋ ପ୍ରତିଜ୍ଞା ଆହୁରି କଠୋର ହେଉ

ଫୋପାଡ଼ିଲା ପଥରଠୁ ଆହୁରି ନିର୍ମମ,

ଖରାଦିନ ଏକୁଟିଆ ପାଣି ଧାର ପରି ଆଜି

ଆସୁ ଆସୁ କେଉଁଠାରେ

ବାଟେ ହଜିଗଲା ।

 

ସ୍ୱପ୍ନ କି ରୋମାଞ୍ଚକର !

ସ୍ୱପ୍ନରେ ବଞ୍ଚିବାଠାରୁ

ଆଉ ବେଶି ସୁଖ କ’ଣ ?

ଏ ବିଶ୍ୱାସ ନାହିଁ ଆଉ ମୋର

ଯେଉଁଦିନୁ ମୁଁ ଜାଣିଲି

ଅଭିନୟ କରିବାକୁ

ମଞ୍ଚ ଉପରକୁ

ମୋତେ ଠେଲିହେଇ ସିଏ

ଅନ୍ୟ ଦର୍ଶକଙ୍କ ପରି

ମୁଁ ସତରେ କେତେ ବୋକା

ବୋଲି ଭାବୁଥିଲା ।

 

ମୋ ଆଖି ଆଗରେ ନାଚେ

ମନ୍ଦିରର ଅସଂଖ୍ୟ ଅଶ୍ଳୀଳ ଚିତ୍ର,

ବାଳ ଫୁରୁଫୁରୁ ଉଡ଼େ

କାନ୍ଦୁଥିବା ମୁହଁମାନ ଧୋଇସାରି

ନାଚିବା ଭଙ୍ଗୀରେ;

ମୋ ଦେହର ଏଣେତେଣେ

କଣ୍ଟାରେ ଯାଇଚି ଚିରି

ଟିକି ପିଲା ହାତ ଅଙ୍କା ଚିତ୍ର ପରି

ବିକଳ ବିକୃତ ହୋଇ

ପୁଣି ହସହସ ।

 

ଏହାପରେ ଖରାବେଳ

ଆସ୍ତେ ଆସ୍ତେ ଚାଲିଯିବ

ବଜାରୀ ଟୋକାଙ୍କ ପରି

ହୁଇସିଲ୍ ମାରି,

‘ମୁଁ ଚାଲି ଯାଉଚି ତେବେ ଠିଆ ହୋଇଥାଅ ପୁଣି

ଅପେକ୍ଷାରେ ଏବେ ଧନମଣି ।’

✽✽✽

 

କୃଷ୍ଣଚୂଡ଼ା

 

କୃଷ୍ଣଚୂଡ଼ା !

ଚୁପ୍‍ଚାପ୍ ତୁମେ କେବେ ଠିଆ ହୋଇପାର

ମୋ ପରି ହୋଇ ଉଦାସୀନ ଓ ଗମ୍ଭୀର ?

ଯେତେବେଳେ ରାସ୍ତାର ଟ୍ରାଫିକ୍ ବନ୍ଦ

ସବୁ ସ୍ୱପ୍ନ ହୋଇଯାଏ ନିର୍ବାକ୍ ଓ ସ୍ଥିର ।

 

କାହା ସଙ୍ଗେ ଗଳ୍ପ କର

ସବୁବେଳେ ଆବେଗ ଅଧୀର

ଯଦିବା ଦିଅ ଉତ୍ତର ପବନ ସହିତ,

ମୁଁ କହିବି କିଏ ଆଉ ନିର୍ବୋଧ ତୁମଠାରୁ ବଡ଼

ଅବିଶ୍ୱାସୀ ପବନଠୁ ସାବଧାନ ହୋଇ ରହ

ପୁଣି ତ ଆସିପାରେ ପ୍ରଚଣ୍ଡ ବର୍ଷା ଓ ଝଡ଼ ।

 

ହସ ନାହିଁ, କଥା କହ ନାହିଁ କେବେ, ଚୁପ୍‍ଚାପ୍ ଠିଆ ହୁଅ

ସମ୍ୱର୍ଦ୍ଧନା କରନାହିଁ କା’ର

ନିଜକୁ ସୁନ୍ଦର କରି ଏତେ ବେଶି ସଜାଅନା ଆଉ

କେତେ ଯେ ଲୋଭିଲା ଆଖି ମଣିଷର

ଅତି ବେଶୀ ଅବିଶ୍ୱାସୀ, ମୁହୂର୍ତ୍ତକେ ମାତ୍ର

ତୁମକୁ ସେ କରିପାରେ କ୍ଷତ ଓ ବିକ୍ଷତ

ତମେ କ’ଣ ଜାଣିନାହଁ କଥା କହିବାଟା

ସବୁ ଅନର୍ଥର ମୂଳ

ଯେତେ ତିଆରି କହିଲେ

ହୋଇ ପାରିବନି ତମେ

ପରାଜିତ ସେନାପରି ଉଦାସ ଗମ୍ଭୀର ?

 

ବଞ୍ଚିବାର ପ୍ରୟୋଜନେ

ଲଜ୍ଜାବୋଧ ଆସେନାଇଁ ବାଚାଳତା କରିବାକୁ

ନାଇଁ ଯାର ଶେଷ

ଭରି ରହିଥାଏ ଅବା ବିଛଣାରେ ପଡ଼ିଥିବା ରୋଗୀଟିର

ଶୋଷ, ଅବଶୋଷ ।

✽✽✽

 

ବୟସ

 

ବୁଲି ବୁଲି କେତେବେଳେ କ୍ଳାନ୍ତ ହୋଇ ଫେରେ

ବୟସ ପଛରେ ମୋର, ବିରକ୍ତିରେ ଦ୍ୱାର ବନ୍ଦ କରେ ।

ବୟସ ନିର୍ଲଜ୍ଜ ଖୁବ୍, ଅପମାନ ଜୀର୍ଣ୍ଣ କରିବାରେ

ଧୁରନ୍ଧର, ଯେମିତି ବା ପୋଷା କୁକୁରଟେ

ବନ୍ଦ ଦ୍ୱାରେ ମୁହଁ ଘଷେ ଯେତେ ତାକୁ ହତାଦର କଲେ

ମୁଁ ଏକ ଭିନ୍ନ ମଣିଷ, ଏ କଥାର ପ୍ରମାଣ ସକାଶେ

ହଜିଯାଏ ମୋର ରୁଦ୍ଧ କୋଠରୀ ଭିତରେ

ନିଷ୍ଠୁର ଅକ୍ଷର ମୋତେ କରୁଥାନ୍ତି ସ୍ଥିର ଓ ନିର୍ବାକ୍

କୋଠରୀର ବର୍ତ୍ତମାନ–ଅତିକ୍ରାନ୍ତ ପାଦଚିହ୍ନ ପଛକୁ ଫେରାଇ

ତଥାପି ବାହାରେ ରହି ସେପରି ସେ

କୃତଜ୍ଞତା ପୂର୍ଣ୍ଣ ଶବ୍ଦ କରେ ।

 

ଦ୍ୱାର ଖୋଲି ବାହାରକୁ ମୁଁ ଆସଇ ନିର୍ମେଘ ଆକାଶ

ବସିରହେ ବାରଣ୍ଡାରେ ମୋର ଚଉକିରେ

କିଏ କରେ ମୋ ସହିତ ଅକାରଣେ ଏତେ ପରିହାସ

ଆକାଶ ଦୁର୍ବଳ କରେ ଛାତି ମୋର, କେଉଁଠି ବୟସ

ଘରଭିତରେ ଯେମିତି ଅବାଞ୍ଛିତ ରୁଣୁଝୁଣୁ ଚୁଡ଼ି ଶବ୍ଦ ଶୁଭେ

ଅନ୍ୟମନସ୍କ ଥିଲେବି ଶୁଣିବାକୁ ଖୁବ୍ ଭଲଲାଗେ ।

 

ପ୍ରତିଜ୍ଞା ମୋ ଭାଙ୍ଗିପଡ଼େ, ଦର୍ପଣକୁ ପୁଣି ଚାହିଁବାରେ

ଅହେତୁକ ଉତ୍ତେଜନା, ଆନନ୍ଦ ବେଦନା

ବନ୍ଦୀକରେ ନାଗଫାଶେ ଗତାନୁଗତିକ

ନିର୍ଜନତା ଭେଦକରି କୋଳାହଳ ଶୁଭଇ ବାହାରେ ।

✽✽✽

 

ପ୍ରତିଶ୍ରୁତି

 

ଯଦିଚ ଜାଣିଚ ତମେ ମଧ୍ୟାହ୍ନ ଆକାଶ ଅଟେ ଖୁବ୍ ନିଦାରୁଣ

କୋମଳ ଆଲୋକ କେବେ ସ୍ଥିର ହୋଇ ରହେ ନାହିଁ ସାରା ଦିନ ଧରି

ତଥାପି ଆଗ୍ରହ ତମ ଏତେ ବେଶି ପ୍ରତ୍ୟୁଷର ଆକାଶ ଦେଖିଲେ

ବେଳେବେଳେ ତମେବି ତ ଗାଳିଦିଅ ପାହାଡ଼କୁ ଲଜ୍ଜାହୀନ ବୋଲି

ଦୁରନ୍ତ ଇଚ୍ଛା ତମର, ଆରମ୍ଭ କେଉଁଠି ୟାର

ହୋଇନାହିଁ, ବୋଧହୁଏ ହେବନାହିଁ କେବେ ଅବସାନ ।

 

କ’ଣ ଲାଭ ଏତେଶୀଘ୍ର ନିଦଭାଙ୍ଗି

ସକାଳର ଆକାଶକୁ ନିରୀକ୍ଷଣ କରି ଏତେଥର

ଦେହରେ ପ୍ରଚୁର ସ୍ଫୁର୍ତ୍ତି, ମୁହଁସାରା ହସହସ ଭାବ

ଆକାଶ ନାମକୁ ବରଂ ଭୁଲିବାକୁ ଚେଷ୍ଟାକର

ଶୋଇ ରହି ବନ୍ଦ କୋଠରୀରେ

ଏଡ଼ିକି ଦୁର୍ବଳ ଛାତି

ତମେବି ହୋଇ ପାରନ୍ତ ଇଚ୍ଛାକଲେ ସବୁଠୁ କଠୋର ।

 

ତୁମକୁ କହିବି କ’ଣ, ତୁମେ ଏକ ଛୋଟ ଶିଶୁଭଳି

ବିଲେଇର ବାରମ୍ୱାର ରାମ୍ପୁଡ଼ା ସତ୍ତ୍ୱେବି

ତା’ର ମ୍ୟାଉଁ ମ୍ୟାଉଁ ଶବ୍ଦ ତମର ତ ମନେ ହୁଏ

ଅତି ଅନ୍ତରଙ୍ଗ

ତା’ ପଛରେ ଦୌଡ଼ୁଥାଅ, ଦୁଷ୍ଟାମିରେ ଲାଞ୍ଜ ଧରି ଟାଣି

ବିଲେଇ ଉପରେ ତମ ଆସ୍ଥା ନାଇଁ ଏତେ ଟିକେ

ତଥାପି ମାନିବ ନାଇଁ, ମୁଁ ଜାଣିଚି କାହାରି ବାରଣ ।

 

ସେ କିବା ସାହସ ଆସେ, ବଞ୍ଚିବାର ତୀବ୍ର ଉତ୍ତେଜନା

ରୋଗଶଯ୍ୟା ପାଶେ ବସି ମଧୁର ସ୍ୱରରେ

ଆତ୍ମୀୟଙ୍କ ଆଶ୍ୱାସନା

‘କ’ଣ ବା ହୋଇଚି ତମେ ଖୁବ୍ ଶୀଘ୍ର ଭଲ ହୋଇଯିବ’

ତା’ପରେ ସମସ୍ତେ ଏଠୁ ଫେରିଯାନ୍ତି ଜଣ ଜଣ ହୋଇ

କେହି ନାଇଁ କେଉଁଠାରେ

ଆଗକୁ ଯିବାର ରାସ୍ତା ସବୁ ହଜିଅଛି

ଶୂନଶାନ୍ ପୃଥିବୀର ଚତୁର୍ଦ୍ଦିଗ ଅନ୍ଧାର ଭିତରେ ।

 

ତୁମେ ଖାଲି ଚାହିଁଥାଅ

କିପରି ତାଳଗଛର ସର୍ବୋଚ୍ଚ ଶାଖାଟି

ଉପରକୁ ଉପରକୁ ବଢ଼ୁଥାଏ, ଛୁଇଁବାକୁ ନୀଳ ନୀଳ

ନିର୍ମେଘ ଆକାଶ

ତମପାଇଁ ସବୁ ଏଠି ସୁନ୍ଦର ଓ ଭାବମୟ

କି ବିଚିତ୍ର ପ୍ରାଣ ପ୍ରାଚୁର୍ଯ୍ୟରେ

ତଥାପି ମୋ ପ୍ରତିଶ୍ରୁତି ଶୁଣିବାକୁ ଭଲଲାଗେ

ଯଦିଚ ନାଇଁ ତମର ସାମାନ୍ୟ ବିଶ୍ୱାସ ।

✽✽✽

 

ଅନ୍ଧକାର

 

ଆଲୋକ ଖୋଜିବା ଥିଲା ମୋର ଏକ ନିର୍ବୋଧତା

ଦୁଃଖ ଲାଗେ ସେ କଥା ଭାବିଲେ,

କେବେ ଥରେ ସିଏ ମୋତେ ନିମନ୍ତ୍ରଣ କରିଥିଲା

କେତେ ଆଗ୍ରହରେ

ମୁଁ ଯାଇ ପହଞ୍ଚି ଦେଖେ

ତା’ କୋଠରୀ ଦ୍ୱାର ବନ୍ଦ

ତାଲା ଝୁଲି କରୁଅଛି ମୋତେ ଉପହାସ

ଫେରିଲି ମୁଁ ରାସ୍ତାସାରା ମୁହଁପୋତି

ସାମାନ୍ୟ ସହାନୁଭୂତି ନାଇଁ କା’ର ମୋ ସକାଶେ

ସବୁ ଲାଗେ ଉଦାସ, ଉଦାସ

 

ଆଜି ମୁଁ ଅପେକ୍ଷାକରି ଏଠାରେ ବସି ରହିଛି

ଯନ୍ତ୍ରଣାରେ ଏକାନ୍ତ କାତର

କେତେବେଳେ ଅନ୍ଧକାର ଡକାଇବ,

ଚିକିତ୍ସକ ପରି ମୋତେ

ଶୁଣିବ ମୋ ବ୍ୟାଧିର ଖବର

ସେତେବେଳେ ମୁଁ ଦେଖିବି

ଅନ୍ଧକାର ଦେହେ ମୋର ଅବଲୁପ୍ତ ସମଗ୍ର ଜୀବନ

କଳ୍ପନାରେ ମୋର ଅତି ପରିଚିତ ଯେଉଁମାନେ

ଅଥଚ ଅପରିଚିତ

ସେମାନଙ୍କ ଜୀବନର କରି ବିଶ୍ଳେଷଣ ।

 

ଶୁଖିଲା ପତ୍ରଟି ଭଳି କେତେ ଆଜି ଅସହାୟ

ଏଠାରେ ରହିଚି ପଡ଼ି, କିଏ ଯଦି ଆସନ୍ତା ଏଠାକୁ

ଅଟକାନ୍ତି ଅଧଘଣ୍ଟେ, ହେଉପଛେ

ତା’ ପକ୍ଷେ ବିରକ୍ତିକର ମୋର ନିଃସଙ୍ଗତାର କାହାଣୀ,

ପୁଣି କେବେ ଇଚ୍ଛାହୁଏ ପଥର ପାହାଚ ପରି

ସହଜରେ ଭାଙ୍ଗିବିନି

ହେଉପଛେ ପଦାଘାତ ପ୍ରତି ମୁହୂର୍ତ୍ତରେ

କିନ୍ତୁ ଏତେ ଦୁର୍ବଳତା ଆସିଯାଏ କେଉଁଠାରୁ

ଆଗ୍ରହୀ ଶ୍ରୋତା ପାଖରେ

ଚିରଦିନ ହୋଇଯାଏ ଋଣୀ ।

 

ବସ୍‍ରେ ଗଲାବେଳେ କୌତୂହଳ ନେଇ

ଚାହୁଁଥିଲେ ମାଇଲଖୁଣ୍ଟଗୁଡ଼ିକୁ

ପ୍ରତିଥର ସେ ଖବର ଦେଉଥିବ

କେତେ ରାଜ୍ୟ ଜୟ କରାଗଲା

କ୍ରମ ବିଜୟ ଗର୍ବରେ ନିଃସଙ୍ଗତା କଟିଯିବ

ଛାତି ସ୍ଫୀତ ହେବ

କିନ୍ତୁ ଯାତ୍ରା ଶେଷ ପରେ ପ୍ରଚୁର ଆବେଗ ନେଇ

କେଉଁଠି ଆଶ୍ରୟ ସ୍ଥଳ, ସେହିକଥା ଭାବିବାକୁ ହେବ

ବାଟରେ ଯେ ଏକମାତ୍ର ବନ୍ଧୁଥିଲା

ପୂରାପୂରି ଭୁଲି ହୋଇଯିବ ।

 

ମାଇଲଖୁଣ୍ଟର ସାଥୀ କିଏ ଆଉ ହୋଇପାରେ

ଜଳୁଥିବା ଦ୍ୱିପ୍ରହର ନିଃସଙ୍ଗ ପବନ

ଲକ୍ଷ୍ୟହୀନଭାବେ ଖାଲି ଆଗକୁ ଦଉଡ଼େ ପୁଣି

ପଛକୁ ଫେରଇ

କେହିନାଇଁ ଶୂନଶାନ୍ ଚାରିଆଡ଼

ସେ ଚିହ୍ନୁଚି ସମସ୍ତଙ୍କୁ, ତାକୁ କେହି ପାରନ୍ତିନି ଚିହ୍ନି,

ଏପରି ଦୁର୍ଭାଗ୍ୟ ଆଉ କା’ର ଅଛି ?

ନିଃସଙ୍ଗ ମାଇଲଖୁଣ୍ଟ ମାୟାଶୂନ୍ୟ ଓ ତପସ୍ୟାରତ

ସହାନୁଭୂତିରେ ବୋଳେ ପବନ ଦେହରେ ତା’ର

ଧୂଳି ଆସ୍ତରଣ

ଈର୍ଷା ଓ ଉତ୍କଣ୍ଠାସବୁ ଏଠାରେ ନିହତ ।।

 

ମୋର ପୋଷା ଚଢ଼େଇଟି ସ୍ଥିର ଓ ନିଶ୍ଚଳହେଲା

ଦିନେ ଦ୍ୱିପ୍ରହରେ

ବର୍ତ୍ତମାନ ସିଏ ଥିଲେ ଖେଳୁଥାନ୍ତା, ମୋ ସାଥିରେ

ହାତକୁ ଖସାଇ ନେଲେ ଧୀରେ ତା’ ଦେହରୁ

ମୋର ଅଜାଣତେ ସିଏ ପ୍ରଥମରେ ଉଡ଼ିବାର

ଭଙ୍ଗୀ କରିଥାଏ

ମୋତେ ବୋକା କରିଦେଇ ଉଡ଼ି ଚାଲିଯାଏ ।

 

ଆକାଶରେ ପକ୍ଷୀଙ୍କର ଉଡ଼ିବାର ଶବ୍ଦ ଶୁଣାଗଲେ

ନୂଆ ନୂଆ ଅକ୍ଷର ଶିଖିଲାବେଳେ

ପିଲାଙ୍କର ପ୍ରବଳ ଆଗ୍ରହ

ଯେକୌଣସି ବହିଖଣ୍ଡେ ଦେଖିଦେଲେ

ଚିହ୍ନି ଚିହ୍ନି ଅକ୍ଷର ପଢ଼ିବା

କୌତୂହଳ ନେଇ ଆଜି ବାହାରକୁ ମୁଁ ଦଉଡ଼େ

ଭୁଲିଯିବା ଲାଗି ଥରେ ଜୀବନର ବଡ଼ ପରାଜୟ ।

 

ପ୍ରତିଜ୍ଞା କରିଛି ଆଉ ଅଭିମାନ କରିବିନି

ଅଭିମାନ କରିବି କାହାକୁ

ଅଭିମାନ ସବୁ ମୋର, ଭୁଲିଯାଏ ଅନ୍ଧାରରେ ସମୁଦ୍ର ଦେଖିଲେ

ସମୁଦ୍ର କେତେ ସୁନ୍ଦର, କେତେ ଶାନ୍ତ ଅନ୍ଧକାରେ

ଅସୀମ, ଅନନ୍ତ

ମାଆର ଦୁଇଟି ଆଖି କରୁଣାରେ ଲୁହ ଢଳଢ଼ଳ

ଲଉଡ଼ିର ଝରକା ଫାଙ୍କରୁ ସ୍ପଷ୍ଟ ଲକ୍ଷ୍ୟକରି ହୁଏ

ପୁଣି ପର ମୁହୂର୍ତ୍ତରେ ଅନ୍ଧକାରେ ଭାସିଉଠେ

ଗଛଲତା ଫୁଲ ଫଳ ପବନରେ ଦୋଳିଖେଳେ

ନିଃଶବ୍ଦ ବିସ୍ମୟେ ।

Image